ଚିକିଟି ବ୍ଲକସ୍ତରୀୟ ସୁରଭି ଉତ୍ସବ ୯୪ ବିଦ୍ୟାଳୟର ୩୫୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ୩୦ ଜଣ ଜିଲ୍ଲାସ୍ତରକୁ ମନୋନୀତ
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 16, 202617 views

ଚିକିଟି, ୧୬/୧୦: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବ୍ଲକର ୯୪ଟି ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ୩୦ ଜଣ କୃତୀ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭି ଉତ୍ସବ ପାଇଁ ମନୋନୀତ ହୋଇଛନ୍ତି।
ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚିକିଟିର ଜଣେ ମୁଖ୍ୟ ଅତିଥି ଯୋଗଦେଇଥିବା ବେଳେ ବିଡିଓ ବିବେକାନନ୍ଦ ମିଶ୍ର, ସୁନାପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା ଓ ନାୟକ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବିଭିନ୍ନ ବିଷୟଭିତ୍ତିକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପ୍ରତିଯୋଗୀମାନେ ନିଜର ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହି ଉତ୍ସବ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ପାଲଟିଥିଲା।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ବେହେରା, ପ୍ରଧାନଶିକ୍ଷକ ଲଳିତ ମୋହନ ବେହେରା, ଶିକ୍ଷକ ବଳରାମ ବେହେରା ଓ ତ୍ରିଲୋଚନ ପ୍ରଧାନଙ୍କ ସମେତ ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ-ପ୍ରଧାନଶିକ୍ଷୟିତ୍ରୀ ଏବଂ ଗାଇଡ୍ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରକୁ ମନୋନୀତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।
