୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା
Bargarh (ବରଗଡ଼)ରିପୋର୍ଟ: ସତ୍ୟ ସୁରୁଜଳOctober 12, 202649 views

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ଉପଲକ୍ଷେ ମହିଳା ଓ ଯୁବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଦୀର୍ଘ ୧୩ ବର୍ଷ ଧରି ଗାଁରେ ଟିହିଲି ଉତ୍ସବ ପାଳିତ ହୋଇଆସୁଥିବା ବେଳେ ପ୍ରତିବର୍ଷ ଉତ୍ସବ ପୂର୍ବରୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି।
ଚଳିତ ବର୍ଷ ମହିଳାମାନଙ୍କୁ ନେଇ ମଣ୍ଡା ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଫଟାମୁଣ୍ଡା ଗାଁର ଜୟ ମା’ ଲକ୍ଷ୍ମୀ, ମା’ ଗଣାଘାଟେନ, ମା’ ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା’ ସମଲେଶ୍ୱରୀ, ଶ୍ରୀଜଗନ୍ନାଥ, ତାରାତାରିଣୀ ଓ ବଜରଙ୍ଗବଳି ନାମରେ ଥିବା ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ନୃତ୍ୟଗୁରୁ ଅଞ୍ଜଳି ପରିଡ଼ା ମଣ୍ଡା ପିଠା ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତାରେ ଭିତ୍ତିଭୂମି ସେବା ସଂଗଠନ ପକ୍ଷରୁ ସୁଦେଷ୍ନା ସ୍ୱାଇଁ ସାହୁ, ଶୁକଦେବ ସ୍ୱାଇଁ ଓ ଦାଶରଥୀ ବିଚାରକ ଭାବେ ଯୋଗଦେଇଥିଲେ। ଏହାପରେ ମହିଳା ଓ ଗାଁର ଯୁବକମାନଙ୍କୁ ନେଇ ସୁଜି ସୁତା ରେସ, ଚାମଚ ବାଟି ରେସ, ମାଟିଆ ଫଟା, ମ୍ୟୁଜିକ୍ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିସହ ଯୁବକମାନଙ୍କୁ ନେଇ ଜୁନିଅର ଓ ସିନିୟର ବିଭାଗରେ ମାରାଥନ ଦୌଡ଼ ମଧ୍ୟ ଆୟୋଜିତ ହୋଇଥିଲା।
ବିଭିନ୍ନ ପ୍ରତିଯୋଗିତାରେ ରମେଶ ଗୁର୍ଲା, ଆଶିଷ ବୈକାର, ସୋନାଲିକା ଶବର, ମିନାକ୍ଷୀ ଭୋଇ ଓ ବିକ୍ରମ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ବିଜେତାମାନଙ୍କୁ ଆସନ୍ତା ୨୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଟିହିଲି ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।
କ୍ଳବ ସଭାପତି ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଙ୍ଗାଧର ସୁନା, ରାଜେଶ ମହାନନ୍ଦ, ତ୍ରିଲୋଚନ ସୁନା, ଶଶୀ, ରଂଜନ, ଦୁଃଶାସନ, ରାଜୁ, ରମେଶ, ସନ୍ତୋଷ, ବେଣୁ, ଭକ୍ତ, ହିମାଞ୍ଚଳଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।
