--:--:--
-- ---
Srishti News

କାକଟମଙ୍ଗଳା କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉଦ୍‌ଘାଟିତ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡାOctober 12, 202617 views
କାକଟମଙ୍ଗଳା କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉଦ୍‌ଘାଟିତ
ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ କଳା-ସଂସ୍କୃତିର ପ୍ରସାର ପାଇଁ ଅଭିନବ ପ୍ରୟାସ କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର ୨୦୨୬: କେନ୍ଦ୍ରାପଡ଼ା ବ୍ଲକ୍‌ର କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ କେନ୍ଦ୍ରାପଡ଼ାସ୍ଥିତ ଫ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଯୋଗଦେଇ ଶିକ୍ଷା ସହିତ କଳା, ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଉଦ୍‌ଘାଟନୀ ସମାରୋହରେ ୱାର୍ଡ ନଂ-୧୦ର କାଉନସିଲର ଶ୍ରୀମତୀ ରଶ୍ମିତା ସିଂହ ଓ କ୍ଲଷ୍ଟର ସିଆରସିସି ଶ୍ରୀ ସଦାଶିବ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ଫ୍ରେଜର ବାଳିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସବ୍ୟସାଚୀ ବେହେରା ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ପୀତବାସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସୁରଭି’ର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସଙ୍ଗୀତ, ବିତର୍କ, ବକ୍ତୃତା, କୁଇଜ୍‌, ସୁଲେଖନ ଓ ପିଏମ୍ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସହିତ ହସ୍ତଶିଳ୍ପ ଓ କଳାକୃତି ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହିତ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାଗୁଡ଼ିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ବ୍ଲକ୍‌ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଉଦ୍‌ଯାପନୀ ସମାରୋହରେ କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ରିସୋର୍ସ ସେଣ୍ଟର ସଂଯୋଜକ (ABEO-cum-BRCC) ଶ୍ରୀ ରଞ୍ଜନ କିଶୋର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଶ୍ରୀ ସବ୍ୟସାଚୀ ବେହେରା ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ମ୍ୟୁନିସିପାଲ୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଦିଲାୱରପୁରସ୍ଥିତ ମଦ୍ରାସା ଇସଲାମିଆ ଆରବିଆର ହେଡ୍ ମୌଲବୀ ମୌଲାନା ଖୁର୍ସିଦ୍ ଅନୱର ଏବଂ କେନ୍ଦ୍ରାପଡ଼ାର ବିଆରଟି ଶ୍ରୀ ହିମାଂଶୁ ଶେଖର ନାୟକ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଫ୍ରେଜର ବିଦ୍ୟାଳୟର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ଉତ୍ସବରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଶେଷରେ କ୍ଲଷ୍ଟର ସିଆରସିସି ଶ୍ରୀ ସଦାଶିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସୁରଭି-୨୦୨୬’ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି, ସୃଜନଶୀଳତାର ପ୍ରକାଶ ଏବଂ ସାମୂହିକ ସହଭାଗିତାର ଏକ ଉତ୍କୃଷ୍ଟ ମଞ୍ଚ ଭାବେ ପରିଗଣିତ ହୋଇଥିଲା।