ଇନ୍ଷ୍ଟାଗ୍ରାମରେ ପରିଚୟ, ଯୁବତୀଙ୍କୁ ଦୁଷ୍କର୍ମ ଓ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 12, 2026199 views

ଦିଗପହଣ୍ଡି, ୧୧/୧୦: ଇନ୍ଷ୍ଟାଗ୍ରାମ୍ରେ ପରିଚୟରୁ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ, ଦୁଷ୍କର୍ମ ଓ ଟଙ୍କା ନେଇ ଫେରାଇ ନ ଦେବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭ୍ରମରପୁରପଲ୍ଲୀ ଗ୍ରାମର ମୁରଲୀ ମହାନ୍ତିଙ୍କ ପୁଅ କହ୍ନେଇ ମହାନ୍ତି (୨୬)। ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନାରେ କେସ୍ ନଂ ୨୨୬/୨୦୨୬ ରୁଜୁ ହୋଇଥିବା ବ୍ରହ୍ମପୁର ପୁଲିସ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ନୋଟ୍ରେ ସୂଚନା ଦିଆଯାଇଛି।
ପୁଲିସର ସୂଚନା ଅନୁଯାୟୀ, ୨୦୨୫ ମସିହାରେ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ପରିଚୟ ହୋଇଥିଲା। ସେହିବର୍ଷ ନଭେମ୍ବର ମାସରେ ଖମାରିଗାଁସ୍ଥିତ ଉଜ୍ଜଳେଶ୍ୱର ମନ୍ଦିରକୁ ଯାଇଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ପୀଡ଼ିତାଙ୍କଠାରୁ ୬ ହଜାର ଟଙ୍କା ନେଇଥିଲେ। ଟଙ୍କା ଫେରସ୍ତ ନକରିବା ଏବଂ ଫୋନ୍ ଉଠାଇବା ବନ୍ଦ କରିଦେବାରୁ ପୀଡ଼ିତା ତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହାପରେ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି।
ପୁଲିସର ସୂଚନା ଅନୁସାରେ, ୨୦୨୬ ଏପ୍ରିଲ୍ରେ ଅଭିଯୁକ୍ତ ଉଭୟ ଏକାଠି ରହୁଥିବା ବିଶ୍ୱାସ ଦେଇ ପୀଡ଼ିତାଙ୍କଠାରୁ ଡାକଘର ସଞ୍ଚୟ ଖାତାରୁ ଉଠାଯାଇଥିବା ୩ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଉକ୍ତ ଟଙ୍କା ଓ ମୋବାଇଲ୍ ଫେରସ୍ତ କରିନଥିବା ଅଭିଯୋଗ ରହିଛି।
ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ କହ୍ନେଇ ମହାନ୍ତିଙ୍କୁ ଗିରଫ କରି ଅକ୍ଟୋବର ୧୧ ତାରିଖରେ ଦିଗପହଣ୍ଡି ଜେଏମ୍ଏଫ୍ସି ଅଦାଲତକୁ ଚାଲାଣ କରିଛି।
