ଗଞ୍ଜାମ ପୋଲିସର ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଦୁର୍ଗାପୂଜା ଓ ଛାତ୍ର ସଂସଦ ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ
Ganjam (ଗଞ୍ଜାମ)ବିଜୟାନନ୍ଦ ତ୍ରିପାଠୀOctober 11, 202626 views

ଗଞ୍ଜାମ: ଗଞ୍ଜାମ ପୋଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ବିଚାରାଧୀନ ମାମଲାର ତ୍ୱରିତ ତଦନ୍ତ ଏବଂ ଆଗାମୀ ଦୁର୍ଗାପୂଜା ଓ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସ୍ପି, ଏସ୍ଡିପିଓ ଏବଂ ଜିଲ୍ଲାର ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାର ଅପରାଧ ସ୍ଥିତି ସମୀକ୍ଷା କରାଯିବା ସହ ବିଭିନ୍ନ ମାମଲାର ତଦନ୍ତ ଶୀଘ୍ର ଶେଷ କରିବା ଏବଂ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ନିଶାଦ୍ରବ୍ୟ କାରବାର, ବେଆଇନ ମଦ ବ୍ୟବସାୟ ଏବଂ ଅନଲାଇନ୍ ଠକେଇ ଭଳି ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ଜୋରଦାର ଯାଞ୍ଚ ଓ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଛି।
ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପଗୁଡ଼ିକରେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଛି। ପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଛାତ୍ର ସଂସଦ ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନ ପରିସରରେ ହିଂସା, ରାଗିଂ, ଧମକ ଏବଂ ବିଶୃଙ୍ଖଳାକୁ ରୋକିବା ପାଇଁ ପୋଲିସର ସତର୍କ ନଜର ରହିବ। ଆଇନଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଭିନ୍ନ ମାମଲାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ଏସ୍ପି ପ୍ରଶଂସା କରିଥିଲେ। ଏଥିସହ ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ।
ଗଞ୍ଜାମ ପୋଲିସର ଅପିଲ୍: ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ସହ ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସହାୟତା ପାଇଁ ଡାଏଲ୍ ୧୧୨ କରିବାକୁ କୁହାଯାଇଛି।
