--:--:--
-- ---
Srishti News

ଅଜାଣ ଶୋଭନୀୟ ଶିକ୍ଷାଶ୍ରମରେ ସ୍ୱାସ୍ଥ୍ୟସେବାର ମହାକୁମ୍ଭ

Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟOctober 11, 202639 views
ଅଜାଣ ଶୋଭନୀୟ ଶିକ୍ଷାଶ୍ରମରେ ସ୍ୱାସ୍ଥ୍ୟସେବାର ମହାକୁମ୍ଭ
ବରୀ, ଯାଜପୁର: ମାନବସେବା ହିଁ ମାଧବସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳସ୍ଥିତ ଅଜାଣ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବିଭାଗର ଚିକିତ୍ସକମାନେ ଯୋଗଦେଇ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ। ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଇଣ୍ଡିଆନ୍ ବାଏ ବିଥ୍ ଟ୍ରଷ୍ଟ ଆଣ୍ଡ ଫାଉଣ୍ଡେସନ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଭାଗର ଚିକିତ୍ସକଙ୍କ ଦ୍ୱାରା ସେବା ପ୍ରଦାନ ଶିବିରରେ ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଭେଷଜ, ସ୍ନାୟୁ, ଦନ୍ତ ଓ ଚକ୍ଷୁ ବିଭାଗ ସମେତ ବିଭିନ୍ନ ବିଭାଗର ଚିକିତ୍ସକମାନେ ଯୋଗଦେଇଥିଲେ। ସେମାନେ ଉପସ୍ଥିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଏହି ଅବସରରେ ଚକ୍ଷୁ ବିଭାଗ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ରୋଗୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ସାଧାରଣ ଲୋକଙ୍କୁ ନିଜ ଅଞ୍ଚଳରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଶେଷକରି ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କୁ ଚିକିତ୍ସକଙ୍କ ପରାମର୍ଶ ପାଇବାର ସୁଯୋଗ ମିଳିଥିବାରୁ ଏହି ପଦକ୍ଷେପକୁ ଉପସ୍ଥିତ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଶଂସା କରିଥିଲେ। ଆଗାମୀ ଚିକିତ୍ସା ପାଇଁ ସହଯୋଗର ପ୍ରତିଶ୍ରୁତି ଶିବିରରେ ଚିକିତ୍ସା ପାଇଥିବା ରୋଗୀମାନେ ଆଗାମୀ ଦିନରେ ଯେପରି ଆବଶ୍ୟକ ଚିକିତ୍ସା ସୁବିଧା ପାଇପାରିବେ, ସେଥିପାଇଁ ଇଣ୍ଡିଆନ୍ ବାଏ ବିଥ୍ ଟ୍ରଷ୍ଟ ଆଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇଦେବା ନେଇ ସୂଚନା ଦିଆଯାଇଛି। ଏଭଳି ପଦକ୍ଷେପ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ତୁଷାର ଶ୍ୟାନ୍ତି, ବିଜୟ କୁମାର ସାହୁ, ବିରେନ ରାଉତ, ଶିବ ପ୍ରସାଦ ଦାସ, ସୌଭାଗ୍ୟ ଜେନା, ରାଜକିଶୋର ମହାନ୍ତି, ପର୍ଶୁରାମ ଜେନା, ଶରତ ମହାନ୍ତି, ଦୁର୍ଯ୍ୟୋଧନ ରାୟ, ପୂର୍ଣ୍ଣଚନ୍ଦ୍ର ସାମଲ, ବିବେକାନନ୍ଦ ନାଥଶର୍ମା ଓ ଦେବାଶିଷ ଜେନା ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଦିଗରେ ଏଭଳି ଉଦ୍ୟମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।