--:--:--
-- ---
Srishti News

ରେଳ ଷ୍ଟେସନରେ ଟ୍ରେନ୍‌ ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ଜଣେ ଫେରାର

Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରOctober 6, 202651 views
ରେଳ ଷ୍ଟେସନରେ ଟ୍ରେନ୍‌ ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ଜଣେ ଫେରାର
ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ବଡ଼ ଧରଣର ଟ୍ରେନ୍‌ ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ। ଜିଆରପିଏସ୍ (GRPS) ଓ ଆରପିଏଫ (RPF) ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗିରିମାର୍କେଟ ଅଞ୍ଚଳର କେ. ରବି କୁମାର, ଲାଞ୍ଜିପଲ୍ଲୀର ଏନ୍. ପ୍ରସାଦ ପାତ୍ର, ପଥରାର ବିଭୂତି ଭୂଷଣ ଦାସ ଏବଂ ଗୋଦାବରୀଶ ନଗରର ରାଜେନ୍ଦ୍ର ପାତ୍ର। ଏହାସହ ଫେରାର ଅଭିଯୁକ୍ତ ଜଣକ ପଥରା ଅଞ୍ଚଳର ଅନୀଲ ଦାସ ବୋଲି ଜଣାପଡ଼ିଛି। ପୁଲିସ ବର୍ତ୍ତମାନ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି। ଅଭିଯୁକ୍ତମାନଙ୍କଠାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କ ନିକଟରୁ ୨ଟି ଲାପଟପ୍, ୧ଟି ଟ୍ୟାବ୍, ୪ଟି ସ୍ମାର୍ଟ ମୋବାଇଲ୍ ଫୋନ୍, ହାତୁଡ଼ି, ସ୍ପାନର, ଜିପିଏସ୍ (GPS) ଟ୍ରାକର, ୨ଟି ଛୁରୀ, ୪ ପକେଟ୍ ଲଙ୍କା ଗୁଣ୍ଡ, ୨ଟି ଟ୍ରେନ୍ ଟିକେଟ୍, ୪ଟି କଳା ମାସ୍କ, ସିଗାରେଟ୍, ଖାଲି ମଦ ବୋତଲ, ଦିଆସିଲି ବାକ୍ସ ଏବଂ ଏକ କ୍ରାଇମ୍ ମ୍ୟାପ୍ ଜବତ ହୋଇଛି। ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧,୧୭,୦୦୦ ଟଙ୍କା ହେବ ବୋଲି ଜିଆରପି (GRP) ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।