କଟାବାହାଲରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 5, 202628 views

ଗାଇସିଲେଟ -)ବରଗଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ବନପାଳ ରାଜେନ୍ଦ୍ର କୁମାର ସିଂ, ଗୌନ୍ତିଆ ମାନଭଞ୍ଜନ ବରିହା, ନେତାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ, ପ୍ରକୃତିପ୍ରେମୀ ବିପିନ ବିହାରୀ ନନ୍ଦ, ନବୀନ ଚନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ଓ ବନ୍ୟପ୍ରାଣୀ ପ୍ରକୃତିର ଅମୂଲ୍ୟ ସମ୍ପଦ ବୋଲି ମତପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ କ୍ରମେ ସଙ୍କୁଚିତ ହେଉଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ପରିବେଶୀୟ ସନ୍ତୁଳନ ଉପରେ ପଡ଼ୁଛି। ତେଣୁ ବନ୍ୟପ୍ରାଣୀ ସୁରକ୍ଷା ସହିତ ଜଙ୍ଗଲ ସଂରକ୍ଷଣକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରକୃତି ଓ ବନ୍ୟଜୀବଙ୍କ ସହ ସହାବସ୍ଥାନ ହିଁ ମାନବ ସମାଜର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେମାନେ ମତ ଦେଇଥିଲେ। ଏହି ଅବସରରେ ବନ ବିଭାଗ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ନେଇ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଲିଟି କଟାବାହାଲ ଗ୍ରାମ ପରିକ୍ରମା କରିଥିବା ବେଳେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଯାଇଥିଲା। ବନ୍ୟଜନ୍ତୁଙ୍କ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ସାମୂହିକ ଦାୟିତ୍ୱ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ‘ଜଙ୍ଗଲ ବଞ୍ଚିଲେ ବନ୍ୟପ୍ରାଣୀ ବଞ୍ଚିବେ, ବନ୍ୟପ୍ରାଣୀ ବଞ୍ଚିଲେ ପ୍ରକୃତିର ସନ୍ତୁଳନ ବଞ୍ଚିବ’ ଏହି ବାର୍ତ୍ତା ସହ ଉପସ୍ଥିତ ସମସ୍ତେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ପାଇଁ ସଚେତନ ରହିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ, ନିରାକାର ନାଏ କ, ଦିଲ୍ଲୀପ, ଉପସ୍ଥିତ ଥିଲେ।
