--:--:--
-- ---
Srishti News

କାମ ନ ହୋଇ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ତଦନ୍ତ ଦାବି: ଭୂତସରସିଙ୍ଗି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀOctober 5, 202623 views
କାମ ନ ହୋଇ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ତଦନ୍ତ ଦାବି: ଭୂତସରସିଙ୍ଗି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମ ପଞ୍ଚାୟତରେ ଏକ ଉନ୍ନୟନମୂଳକ କାର୍ଯ୍ୟ ନାମରେ ପ୍ରାୟ ୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅନିୟମିତ ଭାବେ ଖର୍ଚ୍ଚ ହୋଇଥିବା ଅଭିଯୋଗ ଉଠିଛି। ତେବେ ମାଟିରେ କାମ ହୋଇନଥିବା ଅଭିଯୋଗ ହେବା ସହ କାର୍ଯ୍ୟର ସ୍ୱଚ୍ଛତା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ସମ୍ପୃକ୍ତ କାର୍ଯ୍ୟସ୍ଥଳରେ ନିର୍ମାଣ କିମ୍ବା ଉନ୍ନୟନ କାର୍ଯ୍ୟ ହୋଇଥିବାର ସ୍ପଷ୍ଟ ଚିହ୍ନ ଦେଖିବାକୁ ମିଳୁନାହିଁ। ଏପରିକି କାର୍ଯ୍ୟସ୍ଥଳରେ ଲଗାଯାଇଥିବା ନାମଫଳକରେ କାମ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନଥିବା ମଧ୍ୟ ଅଭିଯୋଗକାରୀମାନେ କହିଛନ୍ତି। ଫଳରେ କାର୍ଯ୍ୟର ଅନୁମୋଦନ, ବ୍ୟୟ ଓ ବାସ୍ତବ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ଅର୍ଥର ସଠିକ୍ ବ୍ୟବହାର ହୋଇଛି କି ନାହିଁ, ବାସ୍ତବରେ କାର୍ଯ୍ୟ ସମ୍ପାଦିତ ହୋଇଛି କି ନାହିଁ ଏବଂ ବିଲ୍‌ ପୈଠରେ କୌଣସି ଅନିୟମିତତା ହୋଇଛି କି ନାହିଁ—ଏସବୁ ଦିଗରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ସମେତ ସମଗ୍ର କାର୍ଯ୍ୟର ରେକର୍ଡ, ମଷ୍ଟରରୋଲ, ବିଲ୍‌-ଭାଉଚର ଏବଂ କାର୍ଯ୍ୟସ୍ଥଳର ବାସ୍ତବ ସ୍ଥିତି ଯାଞ୍ଚ କରାଯାଉ ବୋଲି ଦାବି ହୋଇଛି। ଏଥିସହ ସ୍ୱତନ୍ତ୍ର ଭାବେ ତଦନ୍ତ କରି ଅନିୟମିତତା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅର୍ଥ ଆଦାୟ କରିବାକୁ ଦାବି ଉଠିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଶାସନ ପକ୍ଷରୁ ତଦନ୍ତ କରାଗଲେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।