--:--:--
-- ---
Srishti News

୧୨୫ ବର୍ଷର ଗୌରବ: ମହାସମାରୋହରେ ବକ୍ସି ଜଗବନ୍ଧୁ ହାଇସ୍କୁଲର ବାର୍ଷିକ ଉତ୍ସବ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 4, 202679 views
୧୨୫ ବର୍ଷର ଗୌରବ: ମହାସମାରୋହରେ ବକ୍ସି ଜଗବନ୍ଧୁ ହାଇସ୍କୁଲର ବାର୍ଷିକ ଉତ୍ସବ
ଖୋର୍ଦ୍ଧା: ଖୋର୍ଦ୍ଧା ମାଟିର ଗର୍ବ ତଥା ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର ଇଂରାଜୀ ଉଚ୍ଚ ବିଦ୍ୟାଳୟର ୧୨୫ତମ ବାର୍ଷିକ ମହୋତ୍ସବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୧୨୫ ବର୍ଷର ଗୌରବମୟ ଶିକ୍ଷା ଯାତ୍ରାକୁ ସ୍ମରଣ କରି ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ପୁରାତନ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀଙ୍କ ସମାଗମ ବେଶ ଆକର୍ଷଣୀୟ ହୋଇଥିଲା।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ବକ୍ସି ଜଗବନ୍ଧୁ ହାଇସ୍କୁଲକୁ ଖୋର୍ଦ୍ଧାବାସୀଙ୍କ ସ୍ୱାଭିମାନର ପ୍ରତୀକ ଭାବେ ଅଭିହିତ କରିଥିଲେ। ଦୀର୍ଘ ୧୨୫ ବର୍ଷ ଧରି ଏହି ଐତିହାସିକ ଶିକ୍ଷାନୁଷ୍ଠାନ କେବଳ ଶିକ୍ଷା ପ୍ରଦାନ କରିନାହିଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ସଂସ୍କାର, ଦାୟିତ୍ୱବୋଧ ଓ ମାନବୀୟ ମୂଲ୍ୟବୋଧର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଶିକ୍ଷାବିତ୍‌, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଗଦେଇଥିଲେ। ଅତିଥିମାନେ ବିଦ୍ୟାଳୟର ୧୨୫ ବର୍ଷର ଗୌରବମୟ ଯାତ୍ରା, ଐତିହ୍ୟ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଆହୁରି ଉଚ୍ଚ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପୁରାତନ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ନିଜ ପୁରାତନ ଶିକ୍ଷାନୁଷ୍ଠାନର ୧୨୫ତମ ବର୍ଷର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସହ ଭାବାବେଗ ମଧ୍ୟ ପରିଲକ୍ଷିତ ହୋଇଥିଲା।୧୨୫ ବର୍ଷର ଦୀର୍ଘ ଶିକ୍ଷା ଯାତ୍ରାରେ ବକ୍ସି ଜଗବନ୍ଧୁ ହାଇସ୍କୁଲ ହଜାର ହଜାର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିଛି। ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ବହୁ ପୁରାତନ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶିକ୍ଷା, ସଂସ୍କାର, ଶୃଙ୍ଖଳା ଓ ପ୍ରତିଭାର ଏହି ଅନନ୍ୟ ପରମ୍ପରା ଆଜି ମଧ୍ୟ ଅବ୍ୟାହତ ରହିଛି।୧୨୫ ବର୍ଷ ପୂର୍ତ୍ତିର ଏହି ଐତିହାସିକ ଉତ୍ସବ ବିଦ୍ୟାଳୟର ଅତୀତ ଗୌରବକୁ ସ୍ମରଣ କରିବା ସହ ଭବିଷ୍ୟତର ଶିକ୍ଷା ଯାତ୍ରା ପାଇଁ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଶତାବ୍ଦୀ ପରେ ମଧ୍ୟ ବକ୍ସି ଜଗବନ୍ଧୁ ହାଇସ୍କୁଲର ଗୌରବ, ଗାରିମା ଓ ଐତିହ୍ୟ ଅମଳିନ ରହିଛି।