--:--:--
-- ---
Srishti News

ଜଙ୍ଗଲୀ ବରାହ ଆକ୍ରମଣରେ ଛେଳି ଚରାଳୀ ଗୁରୁତର: ପଦ୍ମପୁରରୁ ବୁର୍ଲା ରେଫର; ସରକାରୀ ସହାୟତା ଦାବି

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 4, 202612 views
ଜଙ୍ଗଲୀ ବରାହ ଆକ୍ରମଣରେ ଛେଳି ଚରାଳୀ ଗୁରୁତର: ପଦ୍ମପୁରରୁ ବୁର୍ଲା ରେଫର; ସରକାରୀ ସହାୟତା ଦାବି
ଝାରବନ୍ଧ, -ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ କୁମୀର ଗ୍ରାମ ପଞ୍ଚାୟତର ସାରମସିଲି ଗ୍ରାମରେ ଜଙ୍ଗଲୀ ବରାହ ଆକ୍ରମଣରେ ଜଣେ ଛେଳି ଚରାଳୀ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଗ୍ରାମର ଗୌରଚନ୍ଦ୍ର ସାହୁ। ସୂଚନା ଅନୁସାରେ, ଗୌରଚନ୍ଦ୍ର ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ହଠାତ୍ ଏକ ଜଙ୍ଗଲୀ ବରାହ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ଗୌରଚନ୍ଦ୍ରଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସହଯୋଗ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲୀ ବରାହଙ୍କ ଉପଦ୍ରବକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଗୌରଚନ୍ଦ୍ର ଜଣେ ଗରିବ ପରିବାରର ହୋଇଥିବା ବେଳେ ଛେଳି ଚରାଇ ନିଜ ପରିବାରର ଜୀବିକା ନିର୍ବାହ କରୁଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ତାଙ୍କ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ସହିତ ବନ୍ୟଜନ୍ତୁ ଆକ୍ରମଣଜନିତ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।