--:--:--
-- ---
Srishti News

ନିଶାମୁକ୍ତ ଯୁବ ଭାରତ ପାଇଁ ଖୋର୍ଦ୍ଧାରେ ଗଣଦୌଡ଼ ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ; ନିଶାମୁକ୍ତ ସମାଜ ପାଇଁ ଶପଥ ପାଠ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202638 views
ନିଶାମୁକ୍ତ ଯୁବ ଭାରତ ପାଇଁ ଖୋର୍ଦ୍ଧାରେ ଗଣଦୌଡ଼  ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ; ନିଶାମୁକ୍ତ ସମାଜ ପାଇଁ ଶପଥ ପାଠ
ଖୋର୍ଦ୍ଧା: ନିଶାମୁକ୍ତ ଯୁବ ଭାରତ ଗଠନର ବାର୍ତ୍ତା ନେଇ ବିଶ୍ୱ ପ୍ରସିଦ୍ଧ ପାଇକ ମାଟି ଖୋର୍ଦ୍ଧାରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇଁ ଭାରତ, ଯୁବ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରୁ ଗଣଦୌଡ଼ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ସାମାଜିକ କର୍ମୀ ମନ୍ମଥ ରାଉତରାୟ, ସମ୍ମାନିତ ଅତିଥି ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଖୋର୍ଦ୍ଧା ଆଞ୍ଚଳିକ ପରିଚାଳକ ଭଗତ୍ ବେହେରା ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା, ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଗଣଦୌଡ଼ ଶେଷରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର, ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରୋଜେକ୍ଟ ପଏଣ୍ଟର ଉପଦେଷ୍ଟା ପ୍ରମୋଦ କୁମାର ହରିଚନ୍ଦନ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି ସହ ସୁସ୍ଥ ଓ ସକାରାତ୍ମକ ଜୀବନ ପ୍ରତି ପ୍ରେରଣା ଦିଆଯାଇଥିଲା।