ଗାନ୍ଧୀଜୀ ଙ୍କ ଜୟନ୍ତୀରେ ମଦ ବିକ୍ରି ଅଭିଯୋଗ, ପୋଲିସର ନିରବତା ନେଇ ପ୍ରଶ୍ନ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 2, 20269 views

ଝାରବନ୍ଧ –ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ ଓ ଭାରତରତ୍ନ ଲାଲବହାଦୁର ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଅବସରରେ ମଦ ବିକ୍ରି ନିଷେଧ ଥିବା ସତ୍ତ୍ୱେ ଝାରବନ୍ଧ ବ୍ଲକ ଅଞ୍ଚଳରେ ମଦ ବିକ୍ରି ହୋଇଥିବା ଅଭିଯୋଗ ଉଠିଛି।
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଓ ନିତ୍ୟାନନ୍ଦପୁର ଗ୍ରାମରେ ଶୁକ୍ରବାର ମଦ ବିକ୍ରି ହୋଇଥିବା ନେଇ ସ୍ଥାନୀୟ ମହଲରୁ ଅଭିଯୋଗ ହୋଇଛି। ଗାନ୍ଧୀଜୀ ଙ୍କ ଜୟନ୍ତୀ ଭଳି ଜାତୀୟ ଦିବସରେ ସରକାରୀ ନିୟମ ଅନୁଯାୟୀ ମଦ ବିକ୍ରି ବନ୍ଦ ରହିବା କଥା ଥିବାବେଳେ ଏହି ଅଭିଯୋଗ ସ୍ଥାନୀୟ ପ୍ରଶାସନର ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ଏନେଇ ଆମ ପ୍ରତିନିଧି ଝାରବନ୍ଧ ପୋଲିସ ସହ ଫୋନ ଯୋଗେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ଫୋନ୍ କଲ୍ରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଅଭିଯୋଗ ରହିଛି।
ଜାତୀୟ ଦିବସରେ ନିଷେଧ ସତ୍ତ୍ୱେ ଯଦି ମଦ ବିକ୍ରି ହୋଇଥାଏ, ତେବେ ଏହା କିପରି ଘଟିଲା ଏବଂ ଏଥିପାଇଁ କିଏ ଦାୟୀ—ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ଘଟଣାର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ସହ ଏନେଇ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ଦାବି ହୋଇଛି।

