ବେଲଟୁକୁରି ଗ୍ରାମପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ପାଳିତ: ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା ପାଇଁ ନିଆଗଲା ସଂକଳ୍ପ
Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହା, ନୂଆପଡାOctober 2, 202610 views

ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ବେଲଟୁକୁରି ଗ୍ରାମପଞ୍ଚାୟତ ପରିସରରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଜୀବନ, ଆଦର୍ଶ ଓ ଦେଶ ପାଇଁ ତାଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଗାନ୍ଧୀଜୀ ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ସ୍ୱାଧୀନତା ସହିତ ସେ ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ମାନବିକତା ଓ ସାମାଜିକ ସମାନତାର ବାର୍ତ୍ତା ଦେଇଥିଲେ।
ଗାନ୍ଧୀଜୀଙ୍କ ମତରେ ଦେଶର ପ୍ରକୃତ ବିକାଶ ଗ୍ରାମର ବିକାଶ ସହିତ ଜଡ଼ିତ। ତେଣୁ ଗ୍ରାମକୁ ସ୍ୱଚ୍ଛ, ସୁସ୍ଥ ଓ ସ୍ୱାବଲମ୍ବୀ କରିବା ଦିଗରେ ସମସ୍ତେ ଏକାଠି ହୋଇ କାମ କରିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା।
ବିଶେଷକରି ନିଜ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିବା, ପରିବେଶର ସୁରକ୍ଷା, ସ୍ୱଚ୍ଛତା ବଜାୟ ରଖିବା, ଶିଶୁ ଶ୍ରମିକ ନିରୋଧ ଓ ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟା ବିରୋଧରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଗ୍ରାମୀଣ ଲୋକଙ୍କ ପାଇଁ ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ସମ୍ପର୍କରେ ମଧ୍ୟ ଗ୍ରାମବାସୀଙ୍କୁ ବୁଝାଇଥିଲେ ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳକ ରାମ ମାଝୀ। ଗ୍ରାମବାସୀମାନେ ଯୋଜନାର ସୁଯୋଗ ନେଇ ରୋଜଗାର ପାଇବା ସହିତ ଗ୍ରାମର ମୌଳିକ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ସେ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, ନାୟବ ସରପଞ୍ଚ ତୋଷ ଚନ୍ଦ୍ରକାର, ମେମ୍ବର ହରେଶ ଚନ୍ଦ୍ରକାର, ପ୍ରଭୁ ନାୟକ, ମୋହନ ପାଣ୍ଡେ, ନେତ ରାମ ବରିହା, ରାଜେନ ବରିହା, ଗ୍ରାମସାଥୀ, ସୁନିତା ଚନ୍ଦ୍ରକାର, ଆସଦା ନାୟକ, ମିଥିଲା ନାୟକ, ହୀରା ଚନ୍ଦ୍ରକାରଙ୍କ ସମେତ ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଓ ଗ୍ରାମର ସାମୂହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାର ସଂକଳ୍ପ ନେଇଥିଲେ। ଶେଷରେ ଗ୍ରାମପଞ୍ଚାୟତ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।

