ଚିକିଟି ବ୍ଲକର ୪ଟି ସମେତ ଗଞ୍ଜାମ ଜିଲ୍ଲାର ୫ଟି ସାଟେଲାଇଟ୍ ବିଦ୍ୟାଳୟ ପୁନଃଖୋଲିବାକୁ ସରକାରଙ୍କ ଅନୁମୋଦନ*
Ganjam (ଗଞ୍ଜାମ)ଦୁର୍ଗା ମାଧବOctober 2, 2026180 views

ଚିକିଟି , ୦୨ /୧୦/୨୦୨୬: ଗଞ୍ଜାମ ଜିଲ୍ଲାର ବନ୍ଦ ରହିଥିବା ୫ଟି ସାଟେଲାଇଟ୍ ବିଦ୍ୟାଳୟକୁ ପୁନଃଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି। ଏଥିମଧ୍ୟରୁ ଚିକିଟି ବ୍ଲକର ୪ଟି ସାଟେଲାଇଟ୍ ବିଦ୍ୟାଳୟ ରହିଥିବା ବେଳେ ଅନ୍ୟ ୧ଟି ବିଦ୍ୟାଳୟ ଦିଗପହଣ୍ଡି ବ୍ଲକରେ ରହିଛି।ଚିକିଟି ବ୍ଲକର ପତ୍ରଚୁଡ଼ି ପ୍ରାଥମିକ ବିଦ୍ୟାଳୟ, ଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ଖୁଦୁଡ଼ି ପ୍ରାଥମିକ ବିଦ୍ୟାଳୟ ପୁନଃଖୋଲିବାକୁ ଅନୁମୋଦନ ଦିଆଯାଇଛି। ଏହି ଅନୁମୋଦନ ଫଳରେ ଦୀର୍ଘଦିନ ଧରି ଶିକ୍ଷା ସୁଯୋଗରୁ ବଞ୍ଚିତ ହେଉଥିବା ଅଞ୍ଚଳର ଶିଶୁମାନଙ୍କ ନିକଟରେ ପୁଣିଥରେ ବିଦ୍ୟାଳୟ ଶିକ୍ଷା ପହଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି।
ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ୍ ଅଥରିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ବିଦ୍ୟାଳୟଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିଷ୍ପତ୍ତି ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ଉଦ୍ୟମ ଓ ପଦକ୍ଷେପ ପାଇଁ ବିଭିନ୍ନ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ସାଧୁବାଦ ଜଣାଇଛନ୍ତି।ଏହା ଦ୍ୱାରା ସ୍ଥାନୀୟ ଶିଶୁମାନଙ୍କୁ ନିଜ ଅଞ୍ଚଳରେ ନିରନ୍ତର ଓ ସୁଗମ ଶିକ୍ଷା ପାଇବାର ସୁଯୋଗ ମିଳିବା ସହ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
