କେନ୍ଦୁଝରରେ 'ମାନବ-ହାତୀ ସହଅବସ୍ଥାନ ସଚେତନତା ଶିବିର' ଅନୁଷ୍ଠିତ: ପରିବେଶ ସନ୍ତୁଳନ ଓ ସୁରକ୍ଷା ଉପରେ ଗୁରୁତ୍ବ
Kendujhar (କେନ୍ଦୁଝର)ରିପୋର୍ଟ: ନିରଞ୍ଜନ ପାଣି, କେନ୍ଦୁଝର ବ୍ୟୁରୋSeptember 30, 202611 views

କେନ୍ଦୁଝର ୩୦/୦୯: କେନ୍ଦୁଝର ବନଖଣ୍ଡ ଆନୁକୂଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଏକ "ମାନବ-ହାତୀ ସହଅବସ୍ଥାନ ସଚେତନତା ଶିବିର" ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ ବକ୍ତବ୍ୟ ରଖି କହିଥିଲେ ଯେ, ହାତୀ ସୁରକ୍ଷା ସହିତ ମଣିଷ ଓ ହାତୀଙ୍କ ପାଇଁ ନିରାପଦ ପଦ୍ଧତି ଆପଣାଇବା ନିହାତି ଜରୁରୀ। ମଣିଷ ସମାଜକୁ ବଞ୍ଚାଇବା ପାଇଁ ପରିବେଶ ସନ୍ତୁଳନର ଗୁରୁତ୍ବ ବୁଝିବାକୁ ପଡ଼ିବ। ହାତୀଙ୍କୁ ସୁରକ୍ଷା ଦେଲେ ବାକି ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ସୁରକ୍ଷିତ ରହିପାରିବେ। ଏଥିସହିତ ଜୀବିକା ଉପରେ ଧ୍ୟାନ ଦେବା ସହ ପ୍ରାଣୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ଜିଲ୍ଲାରେ ବର୍ତ୍ତମାନ ୧୬୦ଟି ହାତୀ ଅଛନ୍ତି ବୋଲି ସୂଚନା ଦିଆଯାଇଥିଲା।
ଏହି ସଚେତନତା ଶିବିରରେ କଣ୍ଟ୍ରୋଲ ରୁମକୁ ଖବର ଦେବା, ରାତିରେ ଟର୍ଚ୍ଚ ବ୍ୟବହାର କରିବା, ହାତୀଙ୍କୁ ନ ଗୋଡ଼ାଇବା ଏବଂ ବେଆଇନ ବିଦ୍ୟୁତ୍ ତାର ନ ଲଗାଇବା ପାଇଁ ସଚେତନ କରାଯାଇଥିଲା। ବିଦ୍ୟୁତ୍ ବିଭାଗ ପକ୍ଷରୁ ସଚେତନତା ବୃଦ୍ଧି କରାଯାଇ ମଣିଷ ଓ ହାତୀଙ୍କ ସୁରକ୍ଷା ନିଶ୍ଚିତ କରାଯାଉଥିବା ବେଳେ,ପ୍ରାଣୀଚିକିତ୍ସା ବିଭାଗ ସହାୟତାରେ ହାତୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
ଏହି କାର୍ଯ୍ୟକ୍ରମରେ ଆଇ.ଏଫ.ଏସ. ପ୍ରୋବେସନର ଲାବ୍ଧି ଜୈନ, ଆଇ.ଏ.ଏସ. ପ୍ରୋବେସନର ଡଃ ଜିତେନ୍ଦ୍ର କୁମାର ଚୌଧୁରୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ମାଝୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୭, ୨୦୨୬ ରୁ ଓଡ଼ିଶାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଆରମ୍ଭ ହୋଇଛି, ଯେଉଁଥିରେ ସ୍ଥାନୀୟ ସଚେତନତା କାର୍ଯ୍ୟକ୍ରମ ସହ ଆସନ୍ତା ଅକ୍ଟୋବର ୩, ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ମୁଖ୍ୟ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି।
