ଆଶା ଦିଦିଙ୍କୁ ଆଶାର କିରଣ ଦେଖାଇଲେ ସମାଜସେବୀ ସୀତା ବରାହଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ ,ଅନୁଗୋଳSeptember 28, 2026122 views

ବଅଁରପାଳ: ଦୀର୍ଘ ୨୦ ବର୍ଷ ଧରି ଆଶାକର୍ମୀ ଭାବେ ଲୋକଙ୍କ ସେବା କରିଆସୁଥିବା ଜଣେ ଆଶା ଦିଦି ଆଜି ନିଜେ ଅସହାୟ। ଗୋଡ଼ ହରାଇବା ସହ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇ କାମ କରିବାକୁ ଅସମର୍ଥ ହେବା ପରେ ଆର୍ଥିକ ସଙ୍କଟରେ ପଡ଼ିଥିବା ସୀତା ବରାହଙ୍କ ପାଖରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ।
ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିର ସୀତା ବରାହ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅସୁସ୍ଥ ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ପ୍ରଥମେ ତାଙ୍କ ଗୋଡ଼ର ଆଙ୍ଗୁଠି କାଟିବାକୁ ପଡ଼ିଥିଲା। ପରେ ସଂକ୍ରମଣ ବଢ଼ିବାରୁ ପ୍ରାୟ ୯ ମାସ ପୂର୍ବେ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଅନ୍ୟପଟେ ତାଙ୍କ ସ୍ୱାମୀ ଅଭିରାମ ବରାହ ମଧ୍ୟ ଏକ ଦୁର୍ଘଟଣାରେ ଆହତ ହୋଇ କାମଧନ୍ଦା କରିବାରେ ଅସମର୍ଥ ହୋଇପଡ଼ିଛନ୍ତି।
ଏଭଳି ପରିସ୍ଥିତିରେ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଗାମୀ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଥିଲା। ଏ ସମ୍ପର୍କରେ ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ଗୋତମରା ସରପଞ୍ଚ ମଣ୍ଟୁ ବରାହ ଓ ପୂର୍ବତନ ସରପଞ୍ଚ ରବି ନାରାୟଣ ବେହେରାଙ୍କ ସହ ସୀତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସୀତାଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ଯଥାସମ୍ଭବ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ।
ଦୀର୍ଘଦିନ ଧରି ନିଜେ ଲୋକଙ୍କ ସେବା କରିଆସୁଥିବା ସୀତା ବରାହଙ୍କ ଦୁଃଖ ସମୟରେ ଏହି ସହାୟତା ମାନବିକତା ଓ ସମାଜସେବାର ଏକ ଉଦାହରଣ ପାଲଟିଛି।
