--:--:--
-- ---
Srishti News

କର୍ଲ୍ଲାକୋଟ–ଦରଗାଁ ବନ୍ଧପଡା ରାସ୍ତାର ଦୁର୍ଦ୍ଦଶା: ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତ୍ୱେ ପ୍ରଶାସନ ନିରବ; ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି

Nuapada (ନୂଆପଡ଼ା)ରିପୋର୍ଟ: କଶ୍ୟପ ଜଗତSeptember 27, 2026127 views
କର୍ଲ୍ଲାକୋଟ–ଦରଗାଁ ବନ୍ଧପଡା ରାସ୍ତାର ଦୁର୍ଦ୍ଦଶା: ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତ୍ୱେ ପ୍ରଶାସନ ନିରବ; ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି
ବୋଡେ଼ନ: ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲ୍ଲାକୋଟ ଦୁର୍ଗା ମଣ୍ଡପଠାରୁ ଦରଗାଁ ବନ୍ଧପଡାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା, ବଡ଼ ବଡ଼ ଗାତ ଓ ଭଙ୍ଗା ଅଂଶ ସୃଷ୍ଟି ହୋଇଥିବାରୁ ଯାତାୟାତ ସମୟରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷାଦିନେ ରାସ୍ତାର ଗାତଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଓ ଦୈନନ୍ଦିନ କାମରେ ଯାତାୟାତ କରୁଥିବା ସାଧାରଣ ଲୋକେ ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ବିଶେଷ ଭାବେ ହଇରାଣ ହେଉଛନ୍ତି। ରାସ୍ତାର ଦୁର୍ଦ୍ଦଶା ନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ମରାମତି ପାଇଁ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ପ୍ରଶାସନର କାର୍ଯ୍ୟପ୍ରଣାଳୀ ନେଇ ପ୍ରଶ୍ନ ଉଠୁଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଅଞ୍ଚଳବାସୀ ତୁରନ୍ତ ରାସ୍ତାର ଅବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜନସାଧାରଣଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ଅପେକ୍ଷା।