ଧନୁଯାତ୍ରାରେ କଂସ ଚରିତ୍ର ଚୟନକୁ ନେଇ ଦାବି ପୁନଃ ଚୟନ ସହ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ପାଇଁ ଧନୁଯାତ୍ରା କମିଟିକୁ ଦାବିପତ୍ର
Bargarh (ବରଗଡ଼)ସତ୍ୟ ସୁରୁଜଳSeptember 25, 20266 views

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଚରିତ୍ର ଚୟନକୁ ନେଇ ନୂଆ ଦାବି ଉଠିଛି। କଂସ ଚରିତ୍ରର ଚୟନ ପ୍ରକ୍ରିୟାକୁ ପୁନଃ କରିବା ସହ ଏହାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ନ୍ୟାୟସଙ୍ଗତ କରିବାକୁ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତିଙ୍କ ନିକଟରେ ଦାବି କରାଯାଇଛି।
ସେପ୍ଟେମ୍ବର ୨୪ ତାରିଖରେ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ, ବରଗଡ଼ ଧନୁଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ବରଗଡ଼ର ସାଂସ୍କୃତିକ ପରିଚୟ। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜଙ୍କ ଚରିତ୍ର ହୋଇଥିବାରୁ ଏହି ଚରିତ୍ର ପାଇଁ ଚୟନ ପ୍ରକ୍ରିୟାକୁ ନେଇ ସ୍ପଷ୍ଟତା ଓ ଜନସ୍ୱୀକୃତି ରହିବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଦାବିପତ୍ରରେ କଂସ ଚରିତ୍ର ପାଇଁ ନୂତନ ଭାବେ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପ୍ରକ୍ରିୟା କରିବାକୁ କୁହାଯାଇଛି। ଏହା ସହ ଚୟନ ପ୍ରକ୍ରିୟାରେ ଜନସାଧାରଣଙ୍କ ଭାଗିଦାରିକୁ ବିଚାର କରିବା ଏବଂ ଯୋଗ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଲୋକମାନେ ନିଜ ପସନ୍ଦ ପ୍ରକାଶ କରିପାରିବା ପାଇଁ ଉପଯୁକ୍ତ ଭୋଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ଆସନ୍ତା ଧନୁଯାତ୍ରା ପ୍ରସ୍ତୁତି ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ଉତ୍ସବ ପୂର୍ବରୁ ସ୍ପଷ୍ଟ ନିଷ୍ପତ୍ତି ନେବାକୁ ମଧ୍ୟ ଦାବି କରାଯାଇଛି।
ତେବେ ଏହି ଦାବି କୌଣସି କଳାକାରଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଧନୁଯାତ୍ରାର ମର୍ଯ୍ୟାଦା, ଗୁଣବତ୍ତା ଓ ଜନସ୍ୱୀକୃତିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଦାବି କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।
ଗତ ଧନୁଯାତ୍ରାରେ ମଧ୍ୟ କଂସ ଚରିତ୍ର ଚୟନ ଓ ଚରିତ୍ର ଚିତ୍ରଣକୁ ନେଇ ବିଭିନ୍ନ ମତାମତ ସାମ୍ନାକୁ ଆସିଥିଲା।
ଏବେ ଆଗାମୀ ଧନୁଯାତ୍ରା ପୂର୍ବରୁ କଂସ ଚରିତ୍ର ଚୟନ ନେଇ କମିଟି କି ନିଷ୍ପତ୍ତି ନେଉଛି, ତାହା ଉପରେ ନଜର ରହିଛି।
