ଲଗାଣ ବର୍ଷା ଓ ପବନରେ ରାସ୍ତା ଉପରେ ବିରାଟକାୟ ଗଛ ଜାତୀୟ ରାଜପଥ-୫୧୬ରେ ଯାତାୟତ ଠପ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Ganjam (ଗଞ୍ଜାମ)Bijayanand TripathySeptember 25, 20269 views

ଛତ୍ରପୁର: ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ ଛତ୍ରପୁର-ଗୋପାଳପୁର ସଂଯୋଗ କରୁଥିବା ଜାତୀୟ ରାଜପଥ-୫୧୬ ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ହଠାତ୍ ଗଛ ପଡ଼ିଯିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ଅନେକ ଲୋକ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଗଛଟି ରାସ୍ତା ମଝିରେ ପଡ଼ିଥିବାରୁ ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳ ପ୍ରାୟ ଠପ୍ ହୋଇଯାଇଛି। ଫଳରେ ଛତ୍ରପୁରରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ଇରେ ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛ ହଟାଇବା କାର୍ଯ୍ୟରେ ଲାଗିଛନ୍ତି। ଗଛ କଟାଯାଇ ରାସ୍ତା ସଫା କରାଯିବା ପରେ ଯାତାୟତ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।
ଲଗାଣ ବର୍ଷା ଓ ପବନ ସମୟରେ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ଗଛଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ସହ ବିପଦସଙ୍କୁଳ ଗଛଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
