ଜଳବନ୍ଦୀ ଘେରରେ ବ୍ରହ୍ମପୁର : ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନ
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 24, 202685 views

ବ୍ରହ୍ମପୁର, ୨୪/୦୯: – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୩ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବ୍ରହ୍ମପୁର ସହର ଏବେ ପ୍ରାୟ ଜଳବନ୍ଦୀ। ସହରର ପ୍ରମୁଖ ରାସ୍ତା, ଗଳିକନ୍ଦି ଓ ତଳିଆ ଅଞ୍ଚଳରେ ଆଣ୍ଠୁଏ ଯାଏଁ ପାଣି ଜମି ରହିଥିବା ବେଳେ ଅନେକ ସାହି-ବସ୍ତିରେ ବର୍ଷାଜଳ ଘର ଭିତରକୁ ପଶିଯାଇ ଲୋକଙ୍କ ଜୀବନଯାପନ ଅସ୍ତବ୍ୟସ୍ତ କରିଦେଇଛି। ଏହା କେବଳ ଗୋଟିଏ ୱାର୍ଡର ସମସ୍ୟା ନୁହେଁ, ପ୍ରାୟ ସମଗ୍ର ସହରର ସମାନ ସ୍ଥିତି ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ୱାର୍ଡର ଗଳିକନ୍ଦିରେ ନାଳ ନିର୍ମାଣ ପାଇଁ ଜନସାଧାରଣଙ୍କ ଅର୍ଥରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ସାମାନ୍ୟ ବର୍ଷାରେ ମଧ୍ୟ ଯଦି ସହର ଜଳମଗ୍ନ ହୋଇଯାଉଛି, ତେବେ ନାଳ ନିର୍ମାଣର ଯୋଜନା ଓ କାମର ମାନ ଠିକ୍ ଅଛି କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।କେତେକ ସ୍ଥାନରେ ଆବଶ୍ୟକତା ନଥାଇ ନାଳ ନିର୍ମାଣ ହୋଇଥିବା ଓ ଯେଉଁଠି ପ୍ରକୃତରେ ଆବଶ୍ୟକତା ଅଛି ସେଠାରେ ନାଳ ନିର୍ମାଣ ହୋଇନଥିବା ଅଭିଯୋଗ ହେଉଛି। ଏହାଛଡା ଅନେକ ନାଳର ସଠିକ୍ ଆଉଟ୍ଲେଟ୍ ବ୍ୟବସ୍ଥା ନଥିବାରୁ ପାଣି ବାହାରକୁ ଯାଇପାରୁନାହିଁ।
ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ନାଳ ସଫେଇ। ଅଧିକାଂଶ ନାଳ ମାଟି, ପଲିଥିନ୍, ଆବର୍ଜନା ଓ ବର୍ଜ୍ୟବସ୍ତୁରେ ପୋତି ହୋଇ ରହିଛି। ବର୍ଷା ପୂର୍ବରୁ ନିୟମିତ ସଫେଇ ହେଉନଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଵେ ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କେବଳ ବର୍ଷା ସମୟରେ ପମ୍ପ ଲଗାଇ ପାଣି କାଢିବା ସ୍ଥାୟୀ ସମାଧାନ ନୁହେଁ। ତେଣୁ ସମଗ୍ର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାର ବୈଜ୍ଞାନିକ ସମୀକ୍ଷା, ତ୍ରୁଟି ଚିହ୍ନଟ, ଆବଶ୍ୟକ ସ୍ଥାନରେ ପୁନର୍ନିର୍ମାଣ ଏବଂ ଏକ ଦୀର୍ଘମିଆଦୀ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଣୟନ ପାଇଁ ଦାବି ଜୋର ଧରିଛି l ଏଥିସହ ଜନସାଧାରଣଙ୍କ ଅର୍ଥରେ ହୋଇଥିବା ନାଳ ନିର୍ମାଣ କାର୍ଯ୍ୟର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ସହ ଯଦି ଅନିୟମିତତା ଓ ନିମ୍ନମାନର କାମ ପ୍ରମାଣିତ ହୁଏ ତେବେ ଦାୟୀ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସହରବାସୀ ଦାବି କରିଛନ୍ତି।
