କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଧସିବାରୁ ଯାତାୟାତ ବାଧାପ୍ରାପ୍ତ, ବହୁ ଗାଡ଼ି ଅଟକ
Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 24, 202612 views

କନ୍ଧମାଳ:ଲଗାଣ ବର୍ଷା ଯୋଗୁଁ କନ୍ଧମାଳର ପ୍ରସିଦ୍ଧ କଳିଙ୍ଗ ଘାଟିରେ ପୁଣି ଥରେ ଭୂସ୍ଖଳନ (Landslide) ଘଟିଛି। ଘାଟି ରାସ୍ତାର ଏକ ବଡ଼ ଅଂଶ ତଳକୁ ଧସିଯିବା ଫଳରେ ଏହି ପ୍ରମୁଖ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଜଳ ଯୋଗୁଁ ପାହାଡ଼ର ମାଟି ଅଳଗା ହୋଇ ରାସ୍ତା ଉପରକୁ ଖସିପଡ଼ିବା ସହ ରାସ୍ତାର ପାର୍ଶ୍ୱ ଭାଙ୍ଗି ତଳକୁ ଖସି ଯାଇଛି। ଚିତ୍ରରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷା ପାଇଁ ଲଗାଯାଇଥିବା ବାରିକେଡ୍ ଏବଂ ଗାର୍ଡୱାଲ୍ ମଧ୍ୟ ନଷ୍ଟ ହୋଇଯାଇଛି।
ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସେହି ରାସ୍ତାରେ ଲାଲ୍ ବାରିକେଡ୍ ଓ କୋନ୍ ଲଗାଯାଇ ଗାଡ଼ି ଚଳାଚଳକୁ ନିୟନ୍ତ୍ରିତ କରାଯାଉଛି। ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଭାରୀ ଯାନବାହନ ଯାତାୟାତ ଉପରେ କଟକଣା ଲଗାଯାଇଛି।
ରାସ୍ତା ବନ୍ଦ ଓ ବାଧାପ୍ରାପ୍ତ ହେବା ଯୋଗୁଁ ଘାଟିର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଗମନାଗମନ ଠପ୍ ହୋଇଯିବାରୁ ସାଧାରଣ ଯାତ୍ରୀ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାସ୍ତାରୁ ମାଟି ହଟାଇବା ଓ ଅସ୍ଥାୟୀ ମରାମତି କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି। ତେବେ ବର୍ଷା ଜାରି ରହିଲେ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏହି ରାସ୍ତାରେ ଜରୁରୀ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।

