ବରଗଡ଼ର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ମରଣଯନ୍ତା ରେଲୱେ ଷ୍ଟେସନ୍ରୁ ଭେଡେନ ରାସ୍ତାକୁ ଯୋଡ଼ୁଥିବା ରାସ୍ତାର ଅବସ୍ଥା ଶୋଚନୀୟ
Bargarh (ବରଗଡ଼)ରିପୋର୍ଟ: ସତ୍ୟ ସୁରୁଜଳSeptember 24, 20267 views

ବରଗଡ଼: ବରଗଡ଼ ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ଅବହେଳାର ଶିକାର। ବରଗଡ଼ ରେଲୱେ ଷ୍ଟେସନ୍ ରାସ୍ତାରୁ ଭେଡେନ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ରହିଛି। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ଷା ହେଲେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରାସ୍ତାରେ ଥିବା ଖାଲଗୁଡ଼ିକରେ ବର୍ଷାଜଳ ଜମି ରହୁଥିବାରୁ କେଉଁଠି କେତେ ଗଭୀର ଖାଲ ରହିଛି, ତାହା ସହଜରେ ଜଣାପଡ଼ୁନାହିଁ। ଫଳରେ ଦୁଇଚକିଆ ଯାନ ଚାଳକମାନଙ୍କ ପାଇଁ ଏହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ରାତି ସମୟରେ ପରିସ୍ଥିତି ଆହୁରି ଚିନ୍ତାଜନକ ହେଉଛି। ରାସ୍ତାର ଖାଲଖମା ସ୍ପଷ୍ଟ ଦେଖାଯାଉନଥିବାରୁ ହଠାତ୍ ଖାଲରେ ଚକା ପଡ଼ିଯିବା ଆଶଙ୍କା ରହୁଛି। ଏହା ଯୋଗୁଁ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।
ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଲୋକ ଯାତାୟାତ କରୁଛନ୍ତି। ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀ ରାସ୍ତାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଲୋକଙ୍କ କହିବା କଥା, ରାସ୍ତାରେ କେବଳ ଖାଲ ପୂରଣ କରିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଆବଶ୍ୟକ ସ୍ଥାନରେ ଗୁଣାତ୍ମକ ଭାବେ ରାସ୍ତା ମରାମତି କରି ଯାତାୟାତ ଉପଯୋଗୀ କରାଯିବା ଆବଶ୍ୟକ।
ତେବେ ପ୍ରଶ୍ନ ଉଠୁଛି— କେବେ ହେବ ଏହି ରାସ୍ତାର ମରାମତି? କେବେ ମିଳିବ ଲୋକଙ୍କୁ ଏହି ଦୁର୍ଦ୍ଦଶାରୁ ମୁକ୍ତି?
ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହୋଇଛି। ରାସ୍ତାର ଅବସ୍ଥା କେବେ ସୁଧୁରିବ, ଏବେ ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।

