--:--:--
-- ---
Srishti News

ଆବୁଧାବିରୁ ଫେରିଲା ବିଜୟଙ୍କ ମରଶରୀର! ୫୦ ଦିନର ଅପେକ୍ଷା ପରେ ଗାଁରେ ପହଞ୍ଚିଲା ଶବ, କାନ୍ଦ ବୋବାଳିରେ ଫାଟିପଡ଼ିଲା ବାହୁତିପଲ୍ଲୀ

Ganjam (ଗଞ୍ଜାମ)ଶିବରାମ ଜେନା,ସ୍ବତନ୍ତ୍ର ପ୍ରତିନିଧିSeptember 24, 20266 views
ଆବୁଧାବିରୁ ଫେରିଲା ବିଜୟଙ୍କ ମରଶରୀର! ୫୦ ଦିନର ଅପେକ୍ଷା ପରେ ଗାଁରେ ପହଞ୍ଚିଲା ଶବ, କାନ୍ଦ ବୋବାଳିରେ ଫାଟିପଡ଼ିଲା ବାହୁତିପଲ୍ଲୀ
ପରିବାରର ଭଲ ଭବିଷ୍ୟତ ପାଇଁ ରୋଜଗାର ଆଶାରେ ବିଦେଶ ଯାଇଥିଲେ । ହେଲେ ଘରକୁ ଫେରିଲେ ନାହିଁ ଜୀବିତ ଅବସ୍ଥାରେ । ପ୍ରାୟ ୫୦ ଦିନର ଅପେକ୍ଷା ପରେ ଗାଁକୁ ଫେରିଲା ବିଜୟଙ୍କ ମରଶରୀର । ମରଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ଗାଁ । ଶୋକାକୁଳ ପରିବେଶରେ ଶେଷ ହେଲା ଅନ୍ତିମ ଯାତ୍ରା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଡିମିରିଆ ପଞ୍ଚାୟତ ବାହୁତିପଲ୍ଲୀ ଗାଁର ବିଜୟ ମହାରଣା । ପରିବାରର ସୁଖ ଓ ଭବିଷ୍ୟତ ପାଇଁ ପ୍ରାୟ ୨୦ ମାସ ତଳେ ରୋଜଗାର ଆଶାରେ ଆବୁଧାବି ଯାଇଥିଲେ ବିଜୟ । ହେଲେ ଗତ ମାସ ୪ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବିଜୟଙ୍କ ମରଶରୀର ଗାଁକୁ ଫେରିବା ନେଇ ଚାଲିଥିଲା ଅପେକ୍ଷା । ଶେଷରେ ପ୍ରାୟ ୫୦ ଦିନ ପରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ବିଜୟଙ୍କ ମରଶରୀର । ସେଠାରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ବିଜୟଙ୍କ ମରଶରୀର ବାହୁତିପଲ୍ଲୀ ଗାଁରେ ପହଞ୍ଚିଥିଲା । ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ସୃଷ୍ଟି ହୋଇଥିଲା ହୃଦୟବିଦାରକ ପରିବେଶ । ପରିବାର ଲୋକଙ୍କ କାନ୍ଦରେ ଭାରି ହୋଇଯାଇଥିଲା ପରିବେଶ । କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ଗାଁ ଦାଣ୍ଡ । ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବିଜୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେପଟେ ବିଜୟଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ଉଠିଛି । ପୂର୍ବତନ ସରପଞ୍ଚ ମନୋଜ କୁମାର ଗୌଡ଼ଙ୍କ ସମେତ ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ବିଜୟଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।