--:--:--
-- ---
Srishti News

ନାବାଳିକା ବିବାହ ରୋକିଲା ଚାଇଲ୍ଡ ହେଲ୍ପଲାଇନ୍, ୮ ଘଣ୍ଟା ପରେ ଉଦ୍ଧାର

Khordha (ଖୋର୍ଦ୍ଧା)ରିପୋର୍ଟ :ଯଦୁମଣି ବେହେରା, ଖୋର୍ଦ୍ଧା, ଟାଙ୍ଗୀSeptember 24, 202632 views
ନାବାଳିକା ବିବାହ ରୋକିଲା ଚାଇଲ୍ଡ ହେଲ୍ପଲାଇନ୍, ୮ ଘଣ୍ଟା ପରେ ଉଦ୍ଧାର
-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଅଞ୍ଚଳରେ ନାବାଳିକା ବିବାହ ଆୟୋଜନ ହେଉଥିବା ଖବର ପାଇ ଚାଇଲ୍ଡ ହେଲ୍ପଲାଇନ୍ ଓ ଜଙ୍କିଆ ପୋଲିସ ଟିମ୍ ଚଢ଼ାଉ କରିଛନ୍ତି। ଟିମ୍ ପହଞ୍ଚିବା ପୂର୍ବରୁ ନାବାଳିକା ଓ ତାଙ୍କୁ ବିବାହ କରିବାକୁ ଥିବା ଯୁବକ ସେଠାରୁ ଚାଲିଯାଇଥିଲେ। ପ୍ରାୟ ୮ ଘଣ୍ଟାର ଖୋଜାଖୋଜି ପରେ ବେଗୁନିଆ ଥାନା ଅଞ୍ଚଳରୁ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ରାଉଳ ସାହି ତାରାଦେବୀ ମନ୍ଦିର ନିକଟରେ ପ୍ରାୟ ୧୫ ବର୍ଷୀୟା ନାବାଳିକାଙ୍କ ବିବାହ ଆୟୋଜନ ହେଉଥିବା ନେଇ ଚାଇଲ୍ଡ ହେଲ୍ପଲାଇନ୍ ଖୋର୍ଦ୍ଧାକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଚାଇଲ୍ଡ ହେଲ୍ପଲାଇନ୍ ଟିମ୍,ଟାଙ୍ଗୀ CDPO ଓ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ନାବାଳିକା ଓ ବିବାହ ହେବାକୁ ଥିବା ସ୍ୱାମୀ ସେଠାରୁ ଚାଲିଯାଇଥିଲେ। ଘଟଣାସ୍ଥଳରେ ବିବାହ ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ସହ ବିବାହ ବେଦି ମଧ୍ୟ ପ୍ରସ୍ତୁତ ହୋଇଥିଲା।ପରେ ପ୍ରାୟ ୮ ଘଣ୍ଟାର ନିରନ୍ତର ଖୋଜାଖୋଜି ପରେ ନାବାଳିକା ଜଣକ ବେଗୁନିଆ ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଚାଇଲ୍ଡ ହେଲ୍ପଲାଇନ୍ ଟିମ୍ ସେଠାରେ ପହଞ୍ଚି ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।ପରେ ନାବାଳିକାଙ୍କୁ CWC ଖୋର୍ଦ୍ଧାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। CWCଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖୋର୍ଦ୍ଧାସ୍ଥିତ ଓପେନ୍ ସେଲ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି।