ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘର ବୈଠକ
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରSeptember 24, 2026132 views

ଟିଟିଲାଗଡ଼ :- ୨୪/୯/୨୬ ଟିଟିଲାଗଡ଼ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (OSSTA) ର ଏକ ସାଧାରଣ ସଭା ୨୩ତାରିଖ ଦିନ ପଞ୍ଚାୟତ ହାଇସ୍କୁଲ ନାରେନ ଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ନୀତି ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା।ଗତ ୧୨ ସେପ୍ଟେମ୍ବର ୨୦୨୬ତାରିଖରେ ପଞ୍ଚାୟତ ହାଇସ୍କୁଲ ନାରେନ ଠାରେ ଅନୁଷ୍ଠିତ ଏକ ଗୌରବମୟ ସମାରୋହରେ ଟିଟିଲାଗଡ଼ ଓଷ୍ଟା ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ଏଥିରେ ଶ୍ରୀ ପ୍ରୀତିବାସ ପୁଟେଲ ସଭାପତି, ଶ୍ରୀ ଗୋବର୍ଧନ ସାହୁ ସମ୍ପାଦକ, ଶ୍ରୀମତୀ ଜୁଲୟନ୍ତୀ ସାହୁ ଉପ-ସଭାପତି ଏବଂ ଶ୍ରୀମତୀ ସୁମିତା ରଥ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ଶ୍ରୀ ପୁଣ୍ୟବନ୍ତ ସାହୁ ଓ ଶ୍ରୀ ବଳବନ୍ତ ରାୟ ରାଜ୍ୟ ପରିଷଦ ସଦସ୍ୟ (State Council Member) ଭାବେ ମନୋନୀତ ହୋଇଥିଲେ।
ଆଜିର ସଭାରେ ବକ୍ତାମାନେ କହିଥିଲେ ଯେ OSSTA କେବଳ ଏକ ଶିକ୍ଷକ ସଂଗଠନ ନୁହେଁ, ବରଂ ଶିକ୍ଷକମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ କାର୍ଯ୍ୟରତ ଏକ ଶକ୍ତିଶାଳୀ ମଞ୍ଚ। ଏହା ଶିକ୍ଷକମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା, ପ୍ରଶିକ୍ଷଣ ଓ ପେଶାଗତ ଉନ୍ନତିକୁ ପ୍ରୋତ୍ସାହନ ଦେବା ସହିତ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ନିରନ୍ତର ପ୍ରୟାସ କରିଆସୁଛି।ନୂତନ କର୍ମକର୍ତ୍ତାମାନେ ସଂଘର ଐତିହ୍ୟକୁ ଅକ୍ଷୁଣ୍ଣ ରଖି ଶିକ୍ଷକ ସମାଜର କଲ୍ୟାଣ, ବିଦ୍ୟାଳୟଗୁଡ଼ିକର ଉନ୍ନତି ଏବଂ ଶିକ୍ଷାର ମାନବୃଦ୍ଧି ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାର ସଂକଳ୍ପ ବ୍ୟକ୍ତ କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ନୂତନ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ସଂଘକୁ ଆହୁରି ସଶକ୍ତ ଓ ସକ୍ରିୟ କରିବା ପାଇଁ ସହଯୋଗର ଆହ୍ୱାନ ଜଣାଇଥିଲେ। ସଭା ଶେଷରେ ନୂତନ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସଂଘର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।
