ଭଞ୍ଜନଗରରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ତତ୍ପରତା: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଉପଜିଲ୍ଲାପାଳ
Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 23, 20269 views

ଭଞ୍ଜନଗର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ସମ୍ଭାବ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମନ୍ଦାର, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମୁମ୍ବ ବହୁମୁଖୀ ବାତ୍ୟା ଆଶ୍ରୟ କେନ୍ଦ୍ର ଏବଂ କଳିଙ୍ଗା ଘାଟି ଅଞ୍ଚଳ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପାଇଁ ରହିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ, ଆଲୋକ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଔଷଧ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସମୟରେ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସଜାଗ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଅସୁରକ୍ଷିତ ଅଞ୍ଚଳର ଲୋକଙ୍କ ସମେତ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ପୂର୍ବରୁ ସୁରକ୍ଷିତ ଆଶ୍ରୟସ୍ଥଳୀ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ସେ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ, ବର୍ଷା ସମୟରେ ନଦୀ, ନାଳ ଓ ଜଳାଶୟ ନିକଟକୁ ନଯିବା, ବଜ୍ରପାତ ସମୟରେ ଘର ଭିତରେ ରହିବା ଏବଂ ଗଛତଳେ କିମ୍ବା ଖୋଲା ପଡ଼ିଆରେ ଆଶ୍ରୟ ନନେବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ଏହାସହ ଅଗ୍ନିଶମ ସେବା, ଜେସିବି ଓ ସ୍ୱାସ୍ଥ୍ୟ ଟିମ୍ ଆଦିକୁ ସତର୍କ ରହିବାକୁ କୁହାଯାଇଛି।
ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏକ ଆପତକାଳୀନ ପ୍ରସ୍ତୁତି ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ ଏହି ପରିଦର୍ଶନ ଓ ସମୀକ୍ଷା ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲି ଆମା, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାରଙ୍କ ସମେତ ଉପଖଣ୍ଡ ପ୍ରଶାସନ, ତହସିଲ, ବ୍ଲକ ପ୍ରଶାସନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
