ତାଳଚେର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୧.୫୬ ଲକ୍ଷରୁ ଅଧିକ ଭୋଟର, ବୁଥ୍ ସଂଖ୍ୟା ୨୨୮
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 23, 202638 views

ତାଳଚେର: ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୬ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) ପ୍ରକ୍ରିୟା ଅଧୀନରେ ପ୍ରକାଶ ପାଇଛି। ଏନେଇ ତାଳଚେର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏଥିସହ ତାଲିକାର ନକଲ ପ୍ରଦାନ କରିବା ସହ ନାମ ସଂଯୋଜନ, ସଂଶୋଧନ ଓ ବିଲୋପ ସମ୍ପର୍କିତ ନିୟମ ଓ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।
ବୈଠକ ଆରମ୍ଭରେ ସହକାରୀ ଜିଲ୍ଲାପାଳ ତଥା ERO ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ ପ୍ରକ୍ରିୟାରେ ସହଯୋଗ ଓ ସଚେତନତା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ସୂଚନା ଅନୁଯାୟୀ, ୨୦୨୬ ଏସଆଇଆର ପ୍ରକ୍ରିୟା ପରେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧ ଲକ୍ଷ ୫୬ ହଜାର ୧୩୭ ଜଣ ଭୋଟର ରହିଛନ୍ତି। ସେହିପରି ପୂର୍ବରୁ ଥିବା ୨୦୨ଟି ବୁଥ୍ରୁ ବୃଦ୍ଧି ପାଇ ବର୍ତ୍ତମାନ ବୁଥ୍ ସଂଖ୍ୟା ୨୨୮କୁ ପହଞ୍ଚିଛି ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
