ତୁରୁବୁଡ଼ି ଫରେଷ୍ଟରଙ୍କ ବିରୋଧରେ ଡିଜିଟାଲ୍ ଲାଞ୍ଚ ଅଭିଯୋଗ: ‘ଫୋନ୍-ପେ’ ଯାଞ୍ଚ ସହ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଦାବି ଜୋର୍
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 23, 2026111 views

ପାତ୍ରପୁର (ସାମନ୍ତିଆପଲ୍ଲୀ): ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ତୁରୁବୁଡ଼ି ଫରେଷ୍ଟର ରାଜେନ୍ଦ୍ର ନାୟକଙ୍କ ବିରୋଧରେ ଖୋଲାଖୋଲି ଲାଞ୍ଚ କାରବାର ଓ କାଠ ମାଫିଆଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗିନ ଅଭିଯୋଗ ଉଠିଛି। ସରକାର ଗୋଟିଏ ପଟେ ‘ଏକ ପେଡ୍ ମା କେ ନାମ’ ଭଳି କାର୍ଯ୍ୟକ୍ରମ ଜରିଆରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଅନ୍ୟପଟେ ସରକାରୀ ଜଙ୍ଗଲକୁ ବ୍ୟକ୍ତିଗତ ବ୍ୟବସାୟର ମାଧ୍ୟମ ବନାଇଥିବା ଏହି ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଜଙ୍ଗଲରୁ କାଠ ଚୋରା ଚାଲାଣ ପାଇଁ ଡିଜିଟାଲ୍ ମାଧ୍ୟମରେ ଲାଞ୍ଚ ଆଦାୟ କରାଯାଉଛି। ସାଇକେଲ୍, ବାଇକ୍ ଓ ଡାଲା ଅଟୋରେ କାଠ ପାର୍ କରାଇବା ଲାଗି ଫୋନ୍-ପେ’ (PhonePe) ଜରିଆରେ ₹୨୦୦ ରୁ ₹୧,୦୦୦ ପର୍ଯ୍ୟନ୍ତ ଟଙ୍କା ନିଆଯାଉଥିବାର ଡିଜିଟାଲ୍ ପ୍ରମାଣ ସାମ୍ନାକୁ ଆସିଛି। ସେହିପରି ବଡ଼ ବଡ଼ ଟ୍ରାକ୍ଟର ଓ ଟ୍ରକରେ କାଠ ଏବଂ ବାଉଁଶ ବୋଝେଇ କରି ନେବାକୁ ହେଲେ ଅଫିସ୍ ଟେବୁଲ୍ ତଳେ ମୋଟା ଅଙ୍କର ନଗଦ କାରବାର ଚାଲିଥିବା ଏବଂ ରାତିର ଅନ୍ଧାରରେ କାଠ ଗାଡ଼ିକୁ ସୁରକ୍ଷିତ ଏସ୍କର୍ଟ କରି ସୀମା ପାର୍ କରାଯାଉଥିବା ଚର୍ଚ୍ଚା ହେଉଛି।
ଏହି ବେଆଇନ କାରବାର ବିରୋଧରେ କୌଣସି ଗରିବ ଖଟିଖିଆ କିମ୍ବା ସ୍ଥାନୀୟ ଲୋକ ମୁହଁ ଖୋଲିଲେ, ସେମାନଙ୍କ ନାମରେ ମିଛ କାଠ ଚୋରି ମାମଲା (False Timber Case) ରୁଜୁ କରି ଜେଲ୍ ପଠାଇବାର ଧମକ ଦିଆଯାଉଥିବା ଜଣାପଡ଼ିଛି। ଏହି ଲାଞ୍ଚ କାରବାରର ଚେର ସ୍ଥାନୀୟ କାର୍ଯ୍ୟାଳୟରୁ ବ୍ରହ୍ମପୁର ଡିଏଫ୍ଓଙ୍କ ଦପ୍ତର ଯାଏଁ ଲମ୍ବିଥିବା ସନ୍ଦେହ ପ୍ରକାଶ କରି ବୁଦ୍ଧିଜୀବୀ ମହଲ ପ୍ରଶ୍ନ ଉଠାଇଛନ୍ତି। ବନ ବିଭାଗ ପକ୍ଷରୁ କେବଳ "ତଦନ୍ତ ଚାଲିଛି" ବୋଲି ରୁଟିନ୍ ବୟାନ ମିଳିଥିବା ବେଳେ, ତୁରୁବୁଡ଼ି ଫରେଷ୍ଟରଙ୍କୁ ତୁରନ୍ତ ନିଲମ୍ବନ (Suspend) କରିବା ସହ ତାଙ୍କ ଫୋନ୍-ପେ’ ଓ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ରାଜ୍ୟ ଭିଜିଲାନ୍ସ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଜନସାଧାରଣ ଓ ପରିବେଶବିତ୍ ଦୃଢ଼ ଦାବି କରିଛନ୍ତି।

