ତିଳେଇଝର ଗାଁରେ ଭାଲୁ ଆକ୍ରମଣ, ବୃଦ୍ଧ ଗୁରୁତର: ରାସ୍ତାରେ ସାଇକେଲ ଯୋଗେ ଯାଉଥିବା ବେଳେ ହଠାତ୍ ଆକ୍ରମଣ; ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ
Nuapada (ନୂଆପଡ଼ା)ବିଜୟ ବରିହାSeptember 22, 202660 views

ନୂଆପଡ଼ା:୨୨/୦୯ : ନୂଆପଡ଼ା ସଦର ତିଳେଇଝର ଗାଁ ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆହତ ବୃଦ୍ଧ ଜଣକ ତିଳେଇଝର ଗ୍ରାମର ରୂପସିଂ ରାଉତ ବୋଲି ଜଣାପଡ଼ିଛି। ଘଟଣା ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ରୂପସିଂ ରାଉତ ନିଜ ଘରୁ ସାଇକେଲ ଯୋଗେ ଦର୍ଲିମୁଣ୍ଡା ଅଭିମୁଖେ ଯାଉଥିଲେ। ତିଳେଇଝର ଗାଁ ନିକଟସ୍ଥ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଏକ ଭାଲୁ ତାଙ୍କ ସମ୍ମୁଖକୁ ଆସି ଆକ୍ରମଣ କରିଥିବା ଜଣାପଡ଼ିଛି। ଭାଲୁର ଆକ୍ରମଣରେ ସେ ରାସ୍ତାରେ ପଡ଼ିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ରୂପସିଂ ରାଉତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ତିଳେଇଝର ଗାଁ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗାଁ ନିକଟରେ ଭାଲୁର ଗତିବିଧି ଥିବାରୁ ଲୋକମାନେ ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଯାତାୟାତ କରିବାକୁ ଭୟ କରୁଥିବା କୁହାଯାଉଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଗତିବିଧି ରହୁଥିବାରୁ ଏଭଳି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେଣୁ ଭାଲୁର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖିବା ସହ ଗାଁ ଓ ରାସ୍ତା ନିକଟରେ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏଥିସହ ଆହତ ବୃଦ୍ଧଙ୍କ ଉତ୍ତମ ଚିକିତ୍ସା ଓ ଆବଶ୍ୟକ ସହାୟତା ପାଇଁ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ମଧ୍ୟ ଦାବି ହୋଇଛି। ଘଟଣା ପରେ ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

