ତୋର୍ରା ଗ୍ରାମ ପାଇଁ ଗୌରବ ଆଣିଲେ ଖେମନ: ନିଟ୍ (ୟୁଜି) ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା
Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହାSeptember 22, 202656 views

ନୂଆପଡ଼ା:୨୨/୦୯
ଦଣ୍ଡ ମୁକ୍ତ ଅଞ୍ଚଳର ଏକ ଗରିବ ପରିବାରରୁ ଆସି ନିଜର ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ପରିଶ୍ରମ ବଳରେ ନିଟ୍ (ୟୁଜି) ପରୀକ୍ଷାରେ ସଫଳତା ହାସଲ କରି ତୋର୍ରା ଗ୍ରାମ ତଥା ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଖେମନ ସତନାମୀ। ତାଙ୍କ ଏହି ସଫଳତା ପରେ ତୋର୍ରା ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଠାକୁର ସିଂ ସତନାମୀ ଓ କୋମଲ ବାଇ ସତନାମୀଙ୍କ ପୁଅ ଖେମନ ସତନାମୀ ପିଲାଦିନରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସେ ତୋର୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ୨୦୧୭-୧୮ ଶିକ୍ଷାବର୍ଷରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ଚୟନ ହୋଇ ତରବୋଡ଼ାସ୍ଥିତ ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।
ନବୋଦୟ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୪ ଶତକଡ଼ା ନମ୍ବର ରଖି ସଫଳତା ହାସଲ କରିବା ପରେ ଖେମନଙ୍କୁ ପୁଣେସ୍ଥିତ ଦକ୍ଷିଣା ଫାଉଣ୍ଡେସନ ଅନୁଶିକ୍ଷଣ କେନ୍ଦ୍ର ପକ୍ଷରୁ ଏକ ବର୍ଷର ମାଗଣା ମେଡିକାଲ କୋଚିଂ ନେବାର ସୁଯୋଗ ମିଳିଥିଲା। ଏହି ସୁଯୋଗକୁ ସଠିକ୍ ଭାବେ ଉପଯୋଗ କରି ସେ ୨୦୨୫-୨୬ ନିଟ୍ ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି।
ଖେମନଙ୍କ ଏହି ସଫଳତାରେ ତୋର୍ରା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏକ ମଫସଲ ଗ୍ରାମର ସାଧାରଣ ପରିବାରର ଜଣେ ଛାତ୍ର ନିଜ ଅଧ୍ୟବସାୟ ବଳରେ ନିଟ୍ ପରୀକ୍ଷାରେ ସଫଳତା ପାଇବା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି।
ଖେମନଙ୍କ ସଫଳତା ପାଇଁ ତୋର୍ରା ବିଦ୍ୟାଳୟର ସେତେବେଳର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର କୁମାର ପରିଡ଼ା, ସହକାରୀ ଶିକ୍ଷକ ଦେଓ ରାମ ସତନାମୀ, ଟିକେଲାଲ ଶବର, ଲକ୍ଷ୍ମୀଚନ୍ଦ ପଟେଲ, ଶିଶିର କୁମାର ଭୋଇ, ମନୋଜ କୁମାର ପଟେଲ, ମନିଷ କୁମାର ସାହୁ, ଜାନ ସଭାପତି ଘନଶ୍ୟାମ ଭୋଇ ଏବଂ ବର୍ତ୍ତମାନର ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ୍ ଭଗତ ରାମ ମାଝୀ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ତାଙ୍କୁ ଉପଢୌକନ, ଡାଇରୀ ଓ କଲମ ପ୍ରଦାନ କରି ଉତ୍ସାହିତ କରାଯିବା ସହ ଶୁଭେଚ୍ଛା ଓ ଶୁଭାଶୀର୍ବାଦ ପ୍ରଦାନ କରାଯାଇଥିଲା। ଖେମନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଶିକ୍ଷାଜୀବନର ସଫଳତା କାମନା କରିଥିଲେ ଉପସ୍ଥିତ ଶିକ୍ଷକ ଓ ଅଞ୍ଚଳବାସୀ।

