--:--:--
-- ---
Srishti News

ବରଗଡ଼ ଗୁରୁମାର୍କେଟରେ ସ୍ଥାନ ବଣ୍ଟନକୁ ନେଇ ଅସନ୍ତୋଷ, ମନ ଦୁଃଖରେ ଛୋଟ ବ୍ୟବସାୟୀ ଓ ଚାଷୀ

Bargarh (ବରଗଡ଼)Reports: Satya SurujalSeptember 22, 202612 views
ବରଗଡ଼ ଗୁରୁମାର୍କେଟରେ ସ୍ଥାନ ବଣ୍ଟନକୁ ନେଇ ଅସନ୍ତୋଷ, ମନ ଦୁଃଖରେ ଛୋଟ ବ୍ୟବସାୟୀ ଓ ଚାଷୀ
ବରଗଡ଼: ବରଗଡ଼ ସହରର ଗୁରୁମାର୍କେଟରେ ସ୍ଥାନ ବଣ୍ଟନକୁ ନେଇ ଛୋଟ ବ୍ୟବସାୟୀ ଓ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଶାଗ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ବ୍ୟବସାୟ ମାନ୍ଦା ହେଉଥିବା ଅଭିଯୋଗ କରିଛନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ପୂର୍ବରୁ ଯେଉଁ ସ୍ଥାନରେ ସେମାନେ ଶାଗ ଓ ପନିପରିବା ବିକ୍ରି କରୁଥିଲେ, ସେଠାରେ ଗ୍ରାହକଙ୍କ ଆସିବା-ଯିବା ଅଧିକ ଥିବାରୁ ଭଲ ବିକ୍ରି ହେଉଥିଲା ଏବଂ ରୋଜଗାର ମଧ୍ୟ ଭଲ ହେଉଥିଲା। କିନ୍ତୁ ବର୍ତ୍ତମାନ ଗୁରୁମାର୍କେଟ ପରିସରକୁ ଆସି ବ୍ୟବସାୟ କରିବା ପରେ ପୂର୍ବଭଳି ବିକ୍ରି ହେଉନଥିବାରୁ ରୋଜଗାର ଉପରେ ପ୍ରଭାବ ପଡ଼ୁଥିବା ସେମାନେ କହିଛନ୍ତି। ଏହା ସହିତ, ଅନ୍ୟ ସ୍ଥାନରେ ବସି ଶାଗ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ଗୁରୁମାର୍କେଟକୁ ଆସି ନିର୍ଦ୍ଧାରିତ ସ୍ଥାନରେ ବସି ବ୍ୟବସାୟ କରିବାକୁ କୁହାଯାଉଥିବା ଜଣାପଡ଼ିଛି। ଛୋଟ ବ୍ୟବସାୟୀ ଓ ଚାଷୀମାନେ କହିଛନ୍ତି ଯେ, ସେମାନଙ୍କ ପାଇଁ କେବଳ ସ୍ଥାନ ଦେବା ନୁହେଁ, ଗ୍ରାହକଙ୍କ ଯାତାୟାତ ଓ ବିକ୍ରିକୁ ଦୃଷ୍ଟିରେ ରଖି ଉପଯୁକ୍ତ ସ୍ଥାନ ଯୋଗାଇଦେବା ଆବଶ୍ୟକ। ଯେଉଁ ସ୍ଥାନରେ ପୂର୍ବରୁ ସେମାନଙ୍କୁ ଜାଗା ଦିଆଯାଇଥିଲା, ସେହି ସ୍ଥାନରେ ପୁଣିଥରେ ବ୍ୟବସାୟ କରିବାକୁ ସୁଯୋଗ ଦେବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ବ୍ୟବସାୟୀମାନଙ୍କ କହିବା କଥା, “ବର୍ତ୍ତମାନ ଯେଉଁ ସ୍ଥାନରେ ବସୁଛୁ, ସେଠାରେ ପୂର୍ବଭଳି ବିକ୍ରି ହେଉନାହିଁ। ଆମର ଜୀବିକା ଏହି ଛୋଟ ବ୍ୟବସାୟ ଉପରେ ନିର୍ଭରଶୀଳ। ତେଣୁ ପୂର୍ବରୁ ଯେଉଁ ଜାଗାରେ ବ୍ୟବସାୟ କରି ଭଲ ରୋଜଗାର କରୁଥିଲୁ, ସେହି ଜାଗାରେ ବସିବାକୁ ସୁଯୋଗ ଦିଆଯାଉ।” ଏବେ ପ୍ରଶାସନ ପକ୍ଷରୁ ଛୋଟ ବ୍ୟବସାୟୀ, ଶାଗ ବିକ୍ରେତା ଓ ଚାଷୀମାନଙ୍କ ସମସ୍ୟାକୁ ବିଚାର କରି ସମସ୍ତଙ୍କ ପାଇଁ ସୁବ୍ୟବସ୍ଥିତ ଓ ବ୍ୟବସାୟ ଅନୁକୂଳ ସ୍ଥାନ ବ୍ୟବସ୍ଥା କରାଯିବ କି ନାହିଁ, ତାହାକୁ ନେଇ ଅପେକ୍ଷା ରହିଛି।