ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Bargarh (ବରଗଡ଼)Reports: Satya SurujalSeptember 22, 202616 views

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କନ୍ଧାଗାର୍ଡ ଗ୍ରାମରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପିଇଓ କାର୍ତ୍ତିକ ବେହେରାଙ୍କ ବାସଭବନ ସମେତ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସମ୍ବଲପୁର ଡିଭିଜନର ଭିଜିଲାନ୍ସ ଟିମ୍ ଆଜି ସକାଳୁ ଏହି ଚଢ଼ାଉ ଆରମ୍ଭ କରିଛି। କାର୍ତ୍ତିକ ବେହେରା କଟାବାହାଲ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଥିବା ଜଣାପଡ଼ିଛି।
ଭିଜିଲାନ୍ସ ଟିମ୍ ଚଢ଼ାଉ ସମୟରେ ତାଙ୍କ ସମ୍ପତ୍ତି ସମ୍ପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ରହିଛି। ଏହାସହ ତାଙ୍କ ନାମରେ ଥିବା ଘର, ଯାନବାହନ ଓ ଜମିବାଡ଼ି ସମ୍ପର୍କିତ ଦସ୍ତାବିଜ ମଧ୍ୟ ଯାଞ୍ଚ କରାଯାଉଛି।
ପ୍ରାଥମିକ ସୂଚନା ଅନୁସାରେ, ଏକ ଆଲିସାନ ଘର, ଗୋଟିଏ ପିକଅପ୍, ଗୋଟିଏ ସ୍କର୍ପିଓ, ଗୋଟିଏ ଟ୍ରାକ୍ଟର ଏବଂ ତିନୋଟି ମୋଟରସାଇକେଲ ଭଳି ସମ୍ପତ୍ତି ଭିଜିଲାନ୍ସ ଟିମ୍ର ନଜରକୁ ଆସିଥିବା ଜଣାପଡ଼ିଛି। ଏହାସହ ନଗଦ ଟଙ୍କା, ଏଟିଏମ୍ କାର୍ଡ ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ର ଯାଞ୍ଚ ଚାଲିଥିବା ସୂଚନା ମିଳିଛି।
ତେବେ ଚଢ଼ାଉ ଓ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ହିଁ କାର୍ତ୍ତିକ ବେହେରାଙ୍କ ମୋଟ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଆୟ ସହ ସମ୍ପତ୍ତିର ଅନୁପାତ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।
