--:--:--
-- ---
Srishti News

ୟୁସୁଫ ମେହେର ଅଲ୍ଲୀଙ୍କ ୧୨୩ତମ ଜୟନ୍ତୀରେ ଦ୍ୱିତୀୟ ସ୍ମାରକୀ ବକ୍ତୃତା

Puri (ପୁରୀ)ରିପୋର୍ଟ: ଲକ୍ଷ୍ମୀଧର ମୁର୍ମୁSeptember 22, 202612 views
ୟୁସୁଫ ମେହେର ଅଲ୍ଲୀଙ୍କ ୧୨୩ତମ ଜୟନ୍ତୀରେ ଦ୍ୱିତୀୟ ସ୍ମାରକୀ ବକ୍ତୃତା
ପୁରୀ:୨୧/୦୯: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତ ଛାଡ଼ ଆନ୍ଦୋଳନର ଉଦ୍‌ଘୋଷକ ବିପ୍ଳବୀ ୟୁସୁଫ ମେହେର ଅଲ୍ଲୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ପୁରୀ ୟୁଥ୍ ହଷ୍ଟେଲରେ ଦ୍ୱିତୀୟ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଛି। ସମତା ସ୍ୱରାଜ ଅଭିଯାନ ଓ ୟୁସୁଫ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। “ଓଡ଼ିଶାର ଅର୍ଥନୈତିକ ସ୍ଥିତି ଓ MMDR ସଂଶୋଧନ ଅଧିନିୟମ–୨୦୨୬” ଶୀର୍ଷକ ସ୍ମାରକୀ ବକ୍ତୃତାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ରାଜସ୍ୱ ଅଧିକାର ଓ ଆର୍ଥିକ ସ୍ୱାୟତ୍ତତା ସୁରକ୍ଷିତ ରହିବା ଆବଶ୍ୟକ। ଅତ୍ୟଧିକ ଖଣିଜ ଉତ୍ତୋଳନ ଯୋଗୁଁ ଜଙ୍ଗଲ, ଜଳ, ଜମି ଓ ଆଦିବାସୀ ଜୀବନ ପ୍ରଭାବିତ ହେଉଥିବାରୁ ଆଗାମୀ ପିଢ଼ିର ଅଧିକାର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ କୁମାର ମିଶ୍ର, ସାମାଜିକ କର୍ମୀ ସ୍ୱାଧୀନ କୁମାର ପଣ୍ଡା ଏବଂ ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ସମ୍ପାଦକ ସତ୍ୟଜିତ୍ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ୟୁସୁଫ ମେହେର ଅଲ୍ଲୀଙ୍କ ସଂଗ୍ରାମୀ ଜୀବନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଜନବାଦୀ ସାମ୍ବାଦିକା ସୁପ୍ରୀୟା ଦାଶଙ୍କୁ ପ୍ରଥମ “ୟୁସୁଫ ମେହେର ଅଲ୍ଲୀ–ଡଃ ଜିଜି ପାରିଖ ସଂକଳ୍ପ ସମ୍ମାନ–୨୦୨୬” ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁରୀ ସହରର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଶ୍ରମିକ ନେତା ଯୋଗଦେଇଥିଲେ। ୟୁସୁଫ ମେହେର ଅଲ୍ଲୀଙ୍କ ଚିନ୍ତାଧାରା, ସଂଗ୍ରାମ ଓ ସାମାଜିକ ନ୍ୟାୟର ଆଦର୍ଶକୁ ଆଗକୁ ନେବା ନେଇ ଆଲୋଚନା ହୋଇଥିଲା।