ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬ ସଂକ୍ରାନ୍ତୀୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମୁଦାୟ ୯,୧୦ ୦୦୧ ଭୋଟର
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 21, 202619 views

ଢ଼େଙ୍କାନାଳ, ୨୧.୯ -
ଭାରତ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ୧୪-୦୫-୨୦୨୬ ତାରିଖରେ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଘୋଷଣା କରାଯାଇଥିଲା। ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ ଚାରି ମାସ ଧରି ଚାଲିଥିବା ଏହି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇ ଢେଙ୍କାନାଳ ଜିଲ୍ଲାର ସାର୍ -୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଚୁଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚ଼ରଣ ସାହୁ ଉପସ୍ଥିତ ଥିଲେ ।
ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଏହି ପ୍ରକ୍ରିୟାର ଆରମ୍ଭ ୩୦ ମେ ରୁ ଆରମ୍ଭ ହୋଇ ୨୮ ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ହୋଇଥିଲା। ଏହାପରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀ କରଣ ଏବଂ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିଲା।
ପରବର୍ତ୍ତୀ ପର୍ଯ୍ୟାୟରେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଦିଆଯାଇଥିଲା। ଏହା ସହିତ ୫ ଜୁଲାଇରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ୍, ଶୁଣାଣି ଓ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା।
ସାର୍ ଆରମ୍ଭ ସମୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୬୨,୮୨୬ ଜଣ ଭୋଟର ଥିଲେ। ଗଣନା ପ୍ରକ୍ରିୟା ସମୟରେ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ ଏବଂ ଏକାଧିକ ଏଣ୍ଟ୍ରି ଭଳି ବିଭିନ୍ନ କାରଣରୁ ୫୮,୫୫୪ଟି ଫର୍ମ ସଂଗ୍ରହ ହୋଇପାରିନଥିଲା। ଫଳସ୍ୱରୂପ, ଚିଠା ଭୋଟର ତାଲିକାରେ ୯,୦୪,୨୭୨ ଜଣ ଭୋଟର ସ୍ଥାନ ପାଇଥିଲେ।
ନୋଟିସ୍ ଓ ଶୁଣାଣି ପର୍ଯ୍ୟାୟରେ ମ୍ୟାପିଂ ହୋଇନଥିବା ଭୋଟର ଏବଂ ନାମ, ବୟସ, ବୟସର ଅସଙ୍ଗତି, ଲିଙ୍ଗ ଇତ୍ୟାଦି ବିଭିନ୍ନ ତ୍ରୁଟି ସଂକ୍ରାନ୍ତରେ ମୋଟ ୧,୬୨,୨୦୯ଟି ନୋଟିସ୍ ଜାରି କରାଯାଇଥିଲା। ଏହି ସମସ୍ତ ମାମଲାର ନିୟମାନୁସାରେ ଶୁଣାଣି କରାଯାଇ AERO ସ୍ତରରେ ଫଇସଲା କରାଯାଇଛି।
ଏଥିସହିତ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀକରଣ ମଧ୍ୟ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଭୋଟଗ୍ରହଣ କେନ୍ଦ୍ର ସଂଖ୍ୟା ୧୦୨୨ରୁ ବୃଦ୍ଧି ପାଇ ୧୨୪୪ରେ ପହଞ୍ଚିଛି। ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୧୦,୦୦୧ ଜଣ ଭୋଟର ରହିଛନ୍ତି।
ସମଗ୍ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପାଦନ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକୁ ନିୟମିତ ଭାବେ ସାମିଲ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାକୁ ନିର୍ବାଚନ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସମୀକ୍ଷା କରିଛନ୍ତି।
ଏଥିସହିତ ସମଗ୍ର ପ୍ରକ୍ରିୟାରେ ରାଜନୈତିକ ଦଳ ସହଯୋଗ କରିଥିଲେ। ସମସ୍ତଙ୍କର ସାମୂହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସଫଳତାର ସହ ସମାପ୍ତ ହୋଇଛି ଏବଂ ଜିଲ୍ଲା ପାଇଁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଛି।
