ଲଦ ସିକକାଙ୍କୁ ତୁରନ୍ତ ମୁକ୍ତି ଦାବିରେ ଭୁବନେଶ୍ୱରରେ ବିକ୍ଷୋଭ
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନSeptember 21, 202655 views

ଭୁବନେଶ୍ୱର: ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ଦାବିରେ ଭୁବନେଶ୍ୱରରେ ପୁଣିଥରେ ବିକ୍ଷୋଭ ଦେଖିବାକୁ ମିଳିଛି। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭକାରୀମାନେ ଲଦ ସିକକାଙ୍କ ମୁକ୍ତି ସହ ନିୟମଗିରିର ଜଳ, ଜମି ଓ ଜଙ୍ଗଲ ଉପରେ ସ୍ଥାନୀୟ ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଦାବି ଉଠାଇଛନ୍ତି।
ସେପ୍ଟେମ୍ବର ୧୦ରେ ଲଦ ସିକକାଙ୍କୁ ଏକ ପୁରୁଣା ମାମଲାରେ ପୁଲିସ ଗିରଫ କରିଥିବା ଖବର ପ୍ରକାଶ ପାଇଥିଲା। ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇବା ପରେ ତାଙ୍କୁ ପୁଣି ଅଟକ ରଖାଯାଇଥିବା ନେଇ CPI(M) ପକ୍ଷରୁ ଅଭିଯୋଗ ହୋଇଥିଲା।
ଏହି ଘଟଣାକୁ ନେଇ ନିୟମଗିରି ଅଞ୍ଚଳରେ ମଧ୍ୟ ପ୍ରତିବାଦ ହୋଇଥିବା ଖବର ରହିଛି। କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଶତାଧିକ ଡଙ୍ଗରିଆ ମହିଳା ଓ ପୁରୁଷ ବିକ୍ଷୋଭ କରିଥିବା ରିପୋର୍ଟ ହୋଇଛି।
ବିକ୍ଷୋଭକାରୀଙ୍କ ଦାବି— ଲଦ ସିକକାଙ୍କୁ ତୁରନ୍ତ ମୁକ୍ତ କରାଯାଉ ଏବଂ ନିୟମଗିରିର ଆଦିବାସୀଙ୍କ ଅଧିକାର ସୁରକ୍ଷା କରାଯାଉ।
