ନୂଆପଡ଼ା ଜିଲ୍ଲା କଂଗ୍ରେସର ନୂତନ ସଭାପତି ଡ଼. ଅଙ୍କିତ ସିଂଘାଇଙ୍କ ପଦଭାର ଗ୍ରହଣ
Nuapada (ନୂଆପଡ଼ା)ରିପୋଟର, ଗିରେନ୍ଦ୍ର କୁମାର ଜଗତ,ନୂଆପଡ଼ାSeptember 20, 202621 views

*ପଦଭାର ଗ୍ରହଣ କାର୍ଯ୍ୟକ୍ରମରେ ୧୫୦୦ରୁ ଊର୍ଦ୍ଧ୍ୱଙ୍କ ସମାଗମ, ସଂଗଠନ ସୁଦୃଢ଼ କରିବାକୁ ଆହ୍ୱାନ*
କୋମନା :୨୧:୨୬: ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଡ଼. ଅଙ୍କିତ ସିଂଘାଇ ପଦଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ପଦଭାର ଗ୍ରହଣ ସମାରୋହରେ ୧୫୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ଯୋଗଦେଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମରେ ଡ଼. ସିଂଘାଇଙ୍କୁ ଦଳୀୟ କର୍ମୀ ଓ ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନୂତନ ଦାୟିତ୍ୱ ପାଇଁ ସହଯୋଗର ଆଶ୍ୱାସନ ଦେଇଥିଲେ। ବହୁ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ନେଇ ଦଳୀୟ ମହଲରେ ଉତ୍ସାହ ପ୍ରକାଶ ପାଇଥିଲା।
ପଦଭାର ଗ୍ରହଣ ପରେ ଡ଼. ସିଂଘାଇ ନୂଆପଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ଏଥିସହ ଲୋକଙ୍କ ସମସ୍ୟା ଓ ଆବଶ୍ୟକତାକୁ ନେଇ ନିରନ୍ତର କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିବା ସମର୍ଥକମାନେ କହିଛନ୍ତି।
ଏହି ପଦଭାର ଗ୍ରହଣ ସମାରୋହକୁ ନେଇ ନୂଆପଡ଼ାର ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସ ସଂଗଠନ କେତେଦୂର ବିସ୍ତାର ଲାଭ କରିବ, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

