--:--:--
-- ---
Srishti News

ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 20, 202613 views
ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ
ପାଇକମାଲ -ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ପକ୍ଷରୁ ପବିତ୍ର ପୀଠ ନୃସିଂହନାଥସ୍ଥିତ ଆଇଓସିଏଲ୍‌ ପରିସରରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ଏହି ଭେଟଘାଟରେ ବିଭିନ୍ନ ଅଞ୍ଚଳରୁ ସମାଜର ବହୁ ବ୍ୟକ୍ତିବିଶେଷ ଓ ଅତିଥି ଯୋଗଦେଇଥିଲେ। ଏହି ସାଂସ୍କୃତିକ ମହାମିଳନରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ମାନ୍ୟବର ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଇ, ନୂଆପଡ଼ା ଜିଲ୍ଲା SDC ଅଧ୍ୟକ୍ଷ ହୋମ ସିଂ ମାଝୀ ଏବଂ ବଲାଙ୍ଗୀର ଜିଲ୍ଲା SDC ଅଧ୍ୟକ୍ଷ ବଲ୍ଲଭ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ନୂଆଁଖାଇ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ନୂଆଁଖାଇ କେବଳ ନବାନ୍ନ ଭକ୍ଷଣର ପର୍ବ ନୁହେଁ, ବରଂ ଏହା ଭାଇଚାରା, ପାରସ୍ପରିକ ସ୍ନେହ, ସମ୍ପର୍କର ନବୀକରଣ ଓ ସାମାଜିକ ଏକତାର ଏକ ମହାନ ପରମ୍ପରା ବୋଲି ମତ ପ୍ରକାଶ ପାଇଥିଲା। ପାରମ୍ପରିକ ରୀତିନୀତି, କଳା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖି ଆଗାମୀ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଗୋଣ୍ଡୱାନା ସମାଜର ସାମାଜିକ ଓ ଆର୍ଥିକ ବିକାଶ, ଶିକ୍ଷାର ପ୍ରସାର, ଯୁବପିଢ଼ିଙ୍କ ଭୂମିକା, ପାରମ୍ପରିକ ସଂସ୍କୃତିର ସୁରକ୍ଷା ଏବଂ ସମାଜର ସାମଗ୍ରିକ ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସମାଜର ସମସ୍ତ ବର୍ଗଙ୍କୁ ଏକତ୍ରିତ କରି ସାମାଜିକ ଭାଇଚାରାକୁ ଆହୁରି ସୁଦୃଢ଼ କରିବା ନେଇ ମତ ପ୍ରକାଶ ପାଇଥିଲା। ଭେଟଘାଟ କାର୍ଯ୍ୟକ୍ରମରେ ସମାଜର ମହିଳା, ଯୁବକ ଓ ବରିଷ୍ଠ ସଦସ୍ୟମାନଙ୍କ ସମେତ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ଦୀର୍ଘ ସମୟ ପରେ ପରସ୍ପରଙ୍କ ସହ ଭାବ ବିନିମୟ ଓ ନୂଆଁଖାଇ ଜୁହାର ଜଣାଇବାର ସୁଯୋଗ ପାଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ସମାଜର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ନୂଆଁଖାଇ ଜୁହାର ଜଣାଇବା ସହ ସମାଜର ଏକତା, ଉନ୍ନତି ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଏଭଳି ମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବା ଆବଶ୍ୟକତା ଉପରେ ମତ ପ୍ରକାଶ ପାଇଥିଲା।