ଝରଣା ସ୍ରୋତରେ ଭାସିଗଲା ଶ୍ରଦ୍ଧାଳୁଙ୍କ କାର: ୩ ଶିଶୁଙ୍କ ସମେତ ୮ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 20, 202626 views

ଭୁବନେଶ୍ୱର/: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାଶିଦାବାଦ ଅଞ୍ଚଳରେ ଥିବା ମା' ବଗଲାମୁଖୀ ମନ୍ଦିର ନିକଟସ୍ଥ ଏକ ନାଳରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ପାଣିର ସ୍ରୋତରେ ଏକ ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍ ଭାସିଯାଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଗୋଟିଏ ପରିବାରର ୩ ଶିଶୁ, ୩ ମହିଳା ଓ ୨ ପୁରୁଷଙ୍କ ସମେତ ସମୁଦାୟ ୮ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ସ୍ଥାନୀୟ ଟ୍ରାଭେଲ ଏଜେନ୍ସିର ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ଲକ୍ଷ୍ନୌରୁ ଏକ ଭଡ଼ା କାର୍ (ଇନୋଭା) ଯୋଗେ ମା' ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରିବା ସମୟରେ ରାସ୍ତାରେ ଥିବା ପୋଲ ଉପର ଦେଇ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିଲା। ପାଣିର ସ୍ରୋତ ଅଧିକ ଥିବା ସତ୍ତ୍ୱେ ଚାଳକ ଜଣକ ଗାଡ଼ିଟିକୁ ଆଗକୁ ବଢ଼ାଇଥିଲେ, ଯାହାଫଳରେ କାର୍ଟି ଭାରସାମ୍ୟ ହରାଇ ନାଳ ସ୍ରୋତରେ ଭାସି ଯାଇଥିଲା। ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବହୁ ବାଧା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ।
ମୃତକମାନେ ହେଲେ ଜୟଦେବ ବିହାର ନିବାସୀ ବନମାଳୀ ବେହେରା, ତାଙ୍କ ପୁଅ ଶିବପ୍ରସାଦ ବେହେରା, ଝିଅ ରୀତାରାଣୀ ବେହେରା, ରାଧାରାଣୀ ବେହେରା, ଜ୍ୱାଇଁ ଜ୍ଞାନେନ୍ଦ୍ର ବେହେରା ଏବଂ ତିନି ନାତିନାତୁଣୀ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ମଧ୍ୟପ୍ରଦେଶ ପ୍ରଶାସନ ପକ୍ଷରୁ କଲେକ୍ଟର ସେର ସିଂ ମୀନା ଓ ଏସପି ବିନୋଦ କୁମାର ସିଂହ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବା ସହ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି।
ଏହି ଦୁଃଖଦ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତଦେହଗୁଡ଼ିକୁ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମଧ୍ୟପ୍ରଦେଶ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସ୍ୱତନ୍ତ୍ର ବିମାନ ଯୋଗେ ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

