ଅବହେଳିତ ଅବସ୍ଥାରେ ପାରମ୍ପରିକ କୂଅ: ପାନୀୟ ଜଳର ଉତ୍ସ ଏବେ ଅଳିଆ ଗଦା
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡSeptember 20, 202654 views

ଆଧୁନିକତାର ସ୍ପର୍ଶ ଓ ନଳକୂପ, ପାଇପ୍ ଜଳର ବ୍ୟବହାର ବୃଦ୍ଧି ପାଇବା ପରେ ଗାଁ ଗହଳିରୁ ଧୀରେ ଧୀରେ ହଜିବାକୁ ବସିଲାଣି ପାରମ୍ପରିକ କୂଅ। ଦିନ ଥିଲା, ଯେଉଁ କୂଅ ଗାଁ ଲୋକଙ୍କ ଜଳତୃଷ୍ଣା ନିବାରଣ କରୁଥିଲା, ଶୁଷ୍କ ଗ୍ରୀଷ୍ମ ଛାତିରେ ପାନୀୟ ଜଳ ଯୋଗାଇ ଗାଁର ଜୀବନରେଖା ସାଜିଥିଲା, ସେହି କୂଅ ଆଜି ନିଜ ସତ୍ତା ହରାଇ ଅବହେଳିତ ଅବସ୍ଥାରେ ପଡ଼ିରହିଛି।
ସମ୍ପ୍ରତି ଏହି କୂଅଗୁଡ଼ିକ ମରାମତି ଓ ସଫେଇ ଅଭାବରୁ ବ୍ୟବହାରହୀନ ହୋଇପଡ଼ିଥିବା ବେଳେ ଲୋକେ ଏହାକୁ ଅଳିଆ ଆବର୍ଜନା ପକାଇବା ସ୍ଥାନ ଭାବେ ବ୍ୟବହାର କରୁଛନ୍ତି। କୂଅ ଭିତରେ ଶୁଖିଲା ପତ୍ର, ପ୍ଲାଷ୍ଟିକ୍, ଓ ବ୍ୟବହୃତ ବର୍ଜ୍ୟବସ୍ତୁ ଜମା ହୋଇ ରହିବା ଫଳରେ ଏହା ଅଳିଆ ଗଦାରେ ପରିଣତ ହୋଇଛି।
ଗ୍ରାମାଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ସମୟରେ ଏଭଳି ପାରମ୍ପରିକ ଜଳ ଉତ୍ସଗୁଡ଼ିକର ବିନାଶ ପରିବେଶ ଓ ଜଳ ସଂରକ୍ଷଣ ପ୍ରତି ବଡ଼ ଆଶଙ୍କା ସୃଷ୍ଟି କରୁଛି। ଯଦି ଏହି କୂଅଗୁଡ଼ିକର ପୁନରୁଦ୍ଧାର କରାଯାଇ ସଫା ରଖାଯାଆନ୍ତା, ତେବେ ଜଳସଙ୍କଟ ସମୟରେ ଏହା ବହୁତ ସହାୟକ ହୋଇପାରନ୍ତା।
ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ସଚେତନ ହୋଇ ପାରମ୍ପରିକ କୂଅଗୁଡ଼ିକର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
