ସୁରଭି ମହିଳା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର ,ଅନୁଗୋଳSeptember 18, 202647 views

ତାଳଚେର: ଏମସିଏଲ ଭରତପୁର ଅଞ୍ଚଳର ସୁରଭି ମହିଳା ମଣ୍ଡଳ ପକ୍ଷରୁ ଭରତପୁର କଲୋନୀସ୍ଥିତ ବ୍ରାହ୍ମଣୀ କ୍ଲବଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସୁରଭି ମହିଳା ମଣ୍ଡଳର ସଭାପତି ମହୁଆ ଚୌଧୁରୀ ଓ ସମ୍ପାଦିକା ରୀନା ମାଝୀଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଭରତପୁର ମହାପ୍ରବନ୍ଧକ କେ.ବି. ଚୌଧୁରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭରତପୁର ଓସିପିର ପ୍ରକଳ୍ପ ଅଧିକାରୀ ଦିବାକର ମାଝୀ, ଚିକିତ୍ସା ଅଧିକାରୀ ଡା. ସ୍ନେହଲତା ତିର୍କି, ମାନବ ସମ୍ବଳ ପରିଚାଳକ ଆଲୋକ ଜୋଜୋୱାରଙ୍କ ସମେତ ଭରତପୁର ଅଞ୍ଚଳର ବିଭିନ୍ନ ବିଭାଗର କର୍ମଚାରୀ, ଟ୍ରେଡ୍ ୟୁନିୟନ ନେତା ଓ ସୁରଭି ମହିଳା ମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ।
ମୁଖ୍ୟଅତିଥି ଶ୍ରୀ ଚୌଧୁରୀ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସୁରଭି ମହିଳା ମଣ୍ଡଳର ଏହି ମହତ୍ ପ୍ରୟାସକୁ ପ୍ରଶଂସା କରିଥିଲେ। ସମାଜ ପାଇଁ ଏଭଳି ମାନବୀୟ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।
ସଭାପତି ମହୁଆ ଚୌଧୁରୀ ରକ୍ତଦାନ ଦ୍ୱାରା ମୂଲ୍ୟବାନ ମାନବ ଜୀବନ ରକ୍ଷା କରାଯାଇପାରିବ ବୋଲି କହିବା ସହ ଉପସ୍ଥିତ ଜନସାଧାରଣଙ୍କୁ ‘ରକ୍ତ ଦିଅନ୍ତୁ, ନାୟକ ହୁଅନ୍ତୁ’ ବାର୍ତ୍ତା ଦେଇ ରକ୍ତଦାନ ପାଇଁ ଆହ୍ୱାନ କରିଥିଲେ।
ଶିବିରରେ ମୋଟ ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସୁରଭି ମହିଳା ମଣ୍ଡଳର ଏହି ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ଜନସାଧାରଣ ପ୍ରଶଂସା କରିଥିଲେ।
