--:--:--
-- ---
Srishti News

ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା: କାରିଗର, ଗାଡ଼ି ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଉତ୍ସାହ

Ganjam (ଗଞ୍ଜାମ)ଗଞ୍ଜାମ: ଖଲ୍ଲିକୋଟରୁ ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିSeptember 18, 202656 views
ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା: କାରିଗର, ଗାଡ଼ି ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଉତ୍ସାହ
ଖଲ୍ଲିକୋଟ, ୧୭/୦୯: କନ୍ୟା ସଂକ୍ରାନ୍ତି ଅବସରରେ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଭଗବାନ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହା ସହିତ ଷଷ୍ଠୀ ଓଷା ବ୍ରତ, ଲଳିତା ସପ୍ତମୀ, କୁକୁଟୀ ବ୍ରତ ଓ ସୋମନାଥ ବ୍ରତାରମ୍ଭ ମଧ୍ୟ ପାଳନ କରାଯାଇଥିଲା। ଏହି ଅବସରରେ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ମା’ ଷଷ୍ଠୀ ଦେବୀଙ୍କ ପୂଜା କରାଯାଇଥିବାବେଳେ ବିଭିନ୍ନ କାରିଗରୀ ଅନୁଷ୍ଠାନ, ଗାଡ଼ି ମାଲିକ ସଂଘ ଓ ସରକାରୀ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜାକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଖଲ୍ଲିକୋଟ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ କାର୍‌, ବୋଲେରୋ ଓ ଟ୍ୟାକ୍ସି ମାଲିକ ଏବଂ ଡ୍ରାଇଭରମାନଙ୍କ ପକ୍ଷରୁ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଗାଡ଼ି ଓ ଯନ୍ତ୍ରପାତିର ସୁରକ୍ଷା ସହିତ ସମୃଦ୍ଧି ଓ ଶୁଭଫଳ କାମନା କରି ଚାଳକ ଓ ମାଲିକମାନେ ପୂଜା କରିଥିଲେ। ସେହିପରି ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଥିବା ଜଳଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଥିଲା। ବିଭାଗୀୟ କର୍ମଚାରୀମାନେ ପୂଜାରେ ସାମିଲ ହୋଇ ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ କାମନା କରିଥିଲେ। ଅନ୍ୟପକ୍ଷରେ ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ କେଶପୁର ଗ୍ରାମରେ ମହାରଣା ସଂଘ ତଥା ବିଶ୍ୱକର୍ମା ସମ୍ପ୍ରଦାୟର କାରିଗରମାନଙ୍କ ପକ୍ଷରୁ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଥିଲା। ଏହି ପୂଜା ଦୀର୍ଘ ପଚାଶ ବର୍ଷ ଧରି ନିରନ୍ତର ଭାବେ ଆୟୋଜିତ ହୋଇଆସୁଥିବା ଜଣାପଡ଼ିଛି। କେଶପୁରରେ ଆୟୋଜିତ ପୂଜା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ମହାରଣା, ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ତଥା ରାଜ୍ୟ ଉପଦେଷ୍ଟା ଦୟାନିଧି ମହାରଣା, ସୁଦର୍ଶନ ମହାରଣା, ପଦ୍ମନାଭ ମହାରଣା, ବାଉରୀବନ୍ଧୁ ମହାରଣା, ଅଭିମନ୍ୟୁ ମହାରଣା, କିଶୋର ମହାରଣା, ଶିବାନୀ ମହାରଣା, ନରୋତ୍ତମ ମହାରଣା, ବୁଲୁ ମହାରଣା, କବିରାଜ ମହାରଣା ଓ ପ୍ରଭାକର ମହାରଣାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥିସହ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀରେ ସହଯୋଗ କରୁଥିବା ଶଙ୍କର ପାହାନ, ଭୋଳା ପାହାନ, ଅନାଥ ପାହାନ ଓ ରାଜୁ ଚଣ୍ଡଙ୍କ ସମେତ ଅନ୍ୟମାନେ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶ୍ୱକର୍ମା ପୂଜାକୁ ନେଇ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ କାରିଗର, ଶ୍ରମିକ, ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। ପୂଜାସ୍ଥଳଗୁଡ଼ିକରେ ଭକ୍ତଙ୍କ ସମାଗମ ସହ ଧୂପ, ଦୀପ ଓ ପୂଜାର୍ଚ୍ଚନାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।