--:--:--
-- ---
Srishti News

ନିର୍ମାଣ ଶ୍ରମିକ ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ: ଯାଜପୁର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ହିତାଧିକାରୀଙ୍କ ଗଣଧାରଣା

Jajpur (ଯାଜପୁର)Anil Kumar JenaSeptember 18, 202626 views
ନିର୍ମାଣ ଶ୍ରମିକ ସହାୟତା ପ୍ରଦାନରେ ଅନିୟମିତତା ଅଭିଯୋଗ: ଯାଜପୁର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ହିତାଧିକାରୀଙ୍କ ଗଣଧାରଣା
କଳିଙ୍ଗନଗର/ବ୍ୟାସନଗର, ୧୮/୦୯: ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ କରି ଶୁକ୍ରବାର ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକ ହିତାଧିକାରୀ ଗଣଧାରଣା ଦେଇଥିଲେ। ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ଧାରଣାକାରୀମାନେ ଦାବି କରିଥିଲେ। ଏହି ଧାରଣାକୁ ସମର୍ଥନ କରି ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ସଭାପତି ତଥା ଓଜେସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଧାରଣାସ୍ଥଳରେ ପହଞ୍ଚିଥିଲେ। ଆୟୋଜିତ ପ୍ରତିବାଦ ସଭାରେ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ଶ୍ରମ କାର୍ଯ୍ୟାଳୟ ଦଲାଲ ଓ କିଛି ମାଲିକଙ୍କ ପ୍ରଭାବରେ ପରିଚାଳିତ ହେଉଥିବାରୁ ପ୍ରକୃତ ଶ୍ରମିକମାନେ ବିଭିନ୍ନ ସାମାଜିକ ସୁରକ୍ଷା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଥିସହ ଅନେକ ଅଣଶ୍ରମିକ ଅଧିକାରୀଙ୍କୁ ଲାଞ୍ଚ ଦେଇ ନିଜ ନାମ ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକରଣ କରୁଥିବା ଅଭିଯୋଗ ନେଇ ଶ୍ରୀ ମହାନ୍ତି ଦୃଢ଼ ଉଦ୍‌ବେଗ ପ୍ରକାଶ କରିବା ସହ ଏପରି ଘଟଣାକୁ ନିନ୍ଦା କରିଥିଲେ। ପ୍ରକୃତ ଶ୍ରମିକଙ୍କୁ ଚିହ୍ନଟ କରି ସରକାରୀ ଯୋଜନାର ସୁବିଧା ଦେବାକୁ ସେ ଦାବି କରିଥିଲେ। ଧାରଣାସ୍ଥଳରେ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହେବା ପରେ ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର ସାହୁ ଓ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ପ୍ରଧାନ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଆସନ୍ତା ମାସରେ ଆବେଦନକାରୀମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ଏଥିସହ କୋରାଇ ଓ ବ୍ୟାସନଗର ଅଞ୍ଚଳର ଶ୍ରମିକମାନଙ୍କ ସମସ୍ୟା ସମାଧାନ ଓ କାର୍ଯ୍ୟାଳୟ ସମ୍ପର୍କିତ କାର୍ଯ୍ୟ ପାଇଁ ସହକାରୀ ଶ୍ରମ ଅଧିକାରୀ ଅଭିଜିତ ପ୍ରଧାନ ନିଯୁକ୍ତ ଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଆଲୋଚନାରେ ବିଦ୍ୟାଧର ଜେନା, ଅଭିମନ୍ୟୁ ପାତ୍ର, ମଦନ ସାହୁ, ପ୍ରଶାନ୍ତ ଜେନା, ଶତ୍ରୁଘନ ମଲ୍ଲିକ, ଲକ୍ଷ୍ମୀଧର ପାତ୍ର, ରାକେଶ କୁମାର ଓ ପ୍ରଦୀପ ସେଠୀଙ୍କ ସମେତ ବହୁ ଶ୍ରମିକ ଓ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।