ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 16, 202664 views

ଭଦ୍ରକ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଲା ଅଘଟଣ। ପୋଖରୀରେ ବୁଡ଼ି ନବମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆ ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଦିଗଛିଆସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ଏକ ପୋଖରୀକୁ ଯାଇଥିଲେ।
ମୂର୍ତ୍ତି ବିସର୍ଜନ ସମୟରେ ହଠାତ୍ ଜଣେ ଛାତ୍ରଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ସାଥୀ ଛାତ୍ରମାନେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ନପାଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।
ପରେ ବିଦ୍ୟାଳୟ ପକ୍ଷରୁ ଗଦି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଛାତ୍ରଙ୍କୁ ଠାବ କରିଥିଲେ। ତେବେ ସେତେବେଳକୁ ଛାତ୍ରଙ୍କ ମୃତ୍ୟୁ ଘଟିସାରିଥିଲା।
ମୃତ ଛାତ୍ରଙ୍କ ନାମ ପୀୟୂଷ ଦାସ ବୋଲି ଜଣାପଡ଼ିଛି। ତାଙ୍କ ଘର ଭଦ୍ରକର ଚରମ୍ପା ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୀୟୂଷ ବିଦ୍ୟାଳୟର ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ।
ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
ଘଟଣାକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ, ଛାତ୍ରମାନେ କିପରି ଓ କାହା ଅନୁମତିରେ ପୋଖରୀକୁ ଯାଇଥିଲେ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।
