ମାର୍ବଲ ପଡ଼ି ଯୁବକ ଗୁରୁତର, ଚିକିତ୍ସା ପାଇଁ ଅର୍ଥାଭାବ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 16, 202628 views

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆସିଛି ଏକ ଦୁଃଖଦ ଖବର। ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ମାର୍ବଲ ପଡ଼ି ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ। ଏବେ ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେଇଥିବାରୁ ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।
ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅନ୍ତର୍ଗତ ପିରିପୁର ଗ୍ରାମର ଅଭିମନ୍ୟୁ ସୂତାର। ବୟସ ମାତ୍ର ୩୨ ବର୍ଷ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ରୋଜଗାର ପାଇଁ ଘରଠାରୁ ଦୂରରେ ଏକ ମାର୍ବଲ ଫ୍ୟାକ୍ଟ୍ରିରେ କାମ କରୁଥିଲେ।
ତେବେ କାମ କରୁଥିବା ସମୟରେ ଅଭିମନ୍ୟୁଙ୍କ ଉପରେ ମାର୍ବଲ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସେ କିଛିଦିନ ଶଯ୍ୟାଶାୟୀ ହୋଇ ରହିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଆଣି ଚିକିତ୍ସା କରାଇଥିଲେ।
ଅଭିମନ୍ୟୁଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ତାଙ୍କ ବାପା ବିନଦ ସୂତାର ପକ୍ଷାଘାତରେ ପୀଡ଼ିତ ଏବଂ ଭିନ୍ନକ୍ଷମ। ଅନ୍ୟପଟେ ଅଭିମନ୍ୟୁଙ୍କ ସ୍ତ୍ରୀ ଘରେ ଘରେ ବୁଲି ବାସନ ମାଜି ଯେତିକି ରୋଜଗାର କରନ୍ତି, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା।
ଏଭଳି ସ୍ଥିତିରେ ଅଭିମନ୍ୟୁଙ୍କ ଚିକିତ୍ସା ପାଇଁ ଗ୍ରାମବାସୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରିଥିଲେ। ଏହି ଅର୍ଥରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।
କିନ୍ତୁ ଏବେ ଚିକିତ୍ସାରେ ସମସ୍ତ ଅର୍ଥ ଖର୍ଚ୍ଚ ହୋଇଯାଇଥିବାରୁ ଆଗାମୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ତେଣୁ ଅଭିମନ୍ୟୁଙ୍କ ଚିକିତ୍ସା ଜାରି ରଖିବା ପାଇଁ ପରିବାର ଓ ଗ୍ରାମବାସୀ ଓଡ଼ିଶାବାସୀଙ୍କୁ ସହାୟତାର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।
ସହାୟତା ପାଇଁ PhonePe ନମ୍ବର — ୭୮୪୮୮୨୩୫୭୦।
ଆପଣଙ୍କ ଛୋଟିଆ ସହଯୋଗ ହୁଏତ ଅଭିମନ୍ୟୁଙ୍କ ଚିକିତ୍ସାରେ ବଡ଼ ସାହାଯ୍ୟ ହୋଇପାରେ। ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
