--:--:--
-- ---
Srishti News

ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟି ଘର, ଛଅ ଜଣିଆ ପରିବାର ଆଶ୍ରୟହୀନ

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡSeptember 15, 202662 views
ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟି ଘର, ଛଅ ଜଣିଆ ପରିବାର ଆଶ୍ରୟହୀନ
କୋକସରା: ଲଘୁଚାପଜନିତ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଛି ଗରିବ ପରିବାରର ମାଟି କୁଡ଼ିଆ ଘର। ମୁଣ୍ଡ ଉପରୁ ଛାତ ହରାଇ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛି ଛଅ ଜଣିଆ ପରିବାର। ସରକାରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅଧୀନ ଲଡ଼ୁଗାଁ ପଞ୍ଚାୟତର ଆଇଁଲି ଗ୍ରାମର ଭାସ୍କର ଦିଆରିଙ୍କ ପରିବାର ସହ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ ତାଙ୍କ ମାଟି କୁଡ଼ିଆ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ପରିବାର ପକ୍ଷରୁ ଜଣାପଡ଼ିଛି ଯେ, ବର୍ଷାର ସେହି ଭୟଙ୍କର ରାତିରେ ଘରର ଅବସ୍ଥା ଏତେ ଦୟନୀୟ ହୋଇପଡ଼ିଥିଲା ଯେ, ଛଅ ଜଣ ପରିବାର ସଦସ୍ୟ ନିଜ ଘରେ ରହିବା ସମ୍ଭବ ହୋଇନଥିଲା। ଶେଷରେ ବାଧ୍ୟ ହୋଇ ସେମାନେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇ ରାତି କାଟିଥିଲେ। ଘର ଭାଙ୍ଗିଯିବା ପରେ ପରିବାରଟି ଏବେ ଖୋଲା ଆକାଶ ତଳେ ପଡ଼ି ରହିବା ଭଳି ଅବସ୍ଥାକୁ ଆସିଛି। ବର୍ଷା ଓ ପ୍ରତିକୂଳ ପାଣିପାଗ ମଧ୍ୟରେ ଛୋଟ ପିଲା ଓ ପରିବାର ସଦସ୍ୟଙ୍କୁ ନେଇ ସୁରକ୍ଷିତ ଆଶ୍ରୟ ଖୋଜିବା ସେମାନଙ୍କ ପାଇଁ ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। ପରିବାର ସଦସ୍ୟଙ୍କ କହିବାନୁସାରେ, ପକ୍କା ଘର ଖଣ୍ଡିଏ ପାଇବା ଆଶାରେ ସେମାନେ ଅନେକଥର ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କୁ ଜଣାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ଆବାସ ଯୋଜନାରେ ସେମାନଙ୍କୁ ଘର ମିଳିନଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଭାସ୍କର ଦିଆରିଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ସରକାର ଓ ପ୍ରଶାସନ ନିକଟରେ ନିବେଦନ କରାଯାଇଛି। ବର୍ଷାରେ ଘର ହରାଇଥିବା ଏହି ଅସହାୟ ପରିବାର ପାଇଁ ଏବେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଓ ସ୍ଥାୟୀ ଆଶ୍ରୟର ଆବଶ୍ୟକତା ରହିଛି। ସୁରକ୍ଷିତ ଘର ପ୍ରତ୍ୟେକ ପରିବାରର ଅଧିକାର—ତେଣୁ ଏହି ପରିବାର ଦିଗରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହା ଏବେ ଅପେକ୍ଷାର ବିଷୟ।