ସାରମସିଲି ଗ୍ରାମରେ ଅନେକ ବର୍ଷରୁ ସାମୂହିକ ନୁଆଁଖାଇ ପରମ୍ପରା
Nuapada (ନୂଆପଡ଼ା)ରିପୋର୍ଟ -ବଂଶୀଧର ନାୟକSeptember 15, 20267 views

ବରଗଡ଼-ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଅବସରରେ ବରଗଡ଼ ଜିଲ୍ଲାର ସାରମସିଲି ଗ୍ରାମରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା ସାମୂହିକ ନୁଆଁଖାଇ ପରମ୍ପରା ଚଳିତ ବର୍ଷ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି।
ନୁଆଁଖାଇ ପାଇଁ ଗ୍ରାମରେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଘରଦ୍ୱାର ସଫାସୁତୁରା କରାଯିବା ସହ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଗ୍ରାମର ଇଷ୍ଟଦେବଦେବୀଙ୍କ ନିକଟରେ ନୂଆ ଧାନ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗ୍ରାମବାସୀ ସାମୂହିକ ଭାବେ ନବାନ୍ନ ଭକ୍ଷଣ କରି ପରସ୍ପରକୁ ‘ନୁଆଁଖାଇ ଜୁହାର’ ଜଣାଇଥିଲେ।
ଉତ୍ସବରେ ଗ୍ରାମର ଗୌନ୍ତିଆ ତଥା ପୂର୍ଵତନ ସରପଞ୍ଚ ଶ୍ରୀ ଭିକାରି ଚରଣ ସାହୁଙ୍କ ନେତୃତ୍ୱ ରେ ନୁଆଁଖାଇ ପରମ୍ପରା ଆରମ୍ଭ ହୋଇ ଵର୍ତମାନ ମଧ୍ୟ ତାହା ଭାଇ ଚାରାରେ ଚାଲିଅଛି l ବୟୋଜ୍ୟେଷ୍ଠଙ୍କଠାରୁ ଆରମ୍ଭ କରି ଯୁବକ, ମହିଳା ଓ ଶିଶୁମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ଦୂରଦୂରାନ୍ତରେ ରହୁଥିବା ଗ୍ରାମର ଅନେକ ପରିବାର ମଧ୍ୟ ନୁଆଁଖାଇ ପାଇଁ ନିଜ ଭିଟାମାଟିକୁ ଫେରିଥିବାରୁ ଗ୍ରାମରେ ଏକ ଭାବପୂର୍ଣ୍ଣ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା।
ସାମୂହିକ ନୁଆଁଖାଇର ବିଶେଷତ୍ୱ ହେଉଛି ଗ୍ରାମର ସମସ୍ତ ପରିବାର ଏକାଠି ହୋଇ ପର୍ବ ପାଳନ କରିବା। ଜାତି, ବର୍ଣ୍ଣ ଓ ଆର୍ଥିକ ଭେଦଭାବ ଭୁଲି ସମସ୍ତେ ପରସ୍ପରକୁ ଜୁହାର କରି ଭାଇଚାରାର ବାର୍ତ୍ତା ଦେଇଥିଲେ। ଗ୍ରାମର ପୁରୁଣା ପରମ୍ପରାକୁ ନୂଆ ପିଢ଼ି ଆଗକୁ ବଢ଼ାଇବାର ଏହି ପ୍ରୟାସ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିଥିଲା।
ସାରମସିଲି ଗ୍ରାମର ଏହି ସାମୂହିକ ନୁଆଁଖାଇ ପରମ୍ପରା ପଶ୍ଚିମ ଓଡ଼ିଶାର ମାଟି, କୃଷି ଓ ଲୋକସଂସ୍କୃତି ସହ ଜଡ଼ିତ ଏକ ଜୀବନ୍ତ ପରମ୍ପରାର ଉଦାହରଣ ହୋଇ ରହିଛି।
