ନୁଆଁଖାଇ: ମାଟି ସାଙ୍ଗେ ମଣିଷର୍ ମମତା, ଅନ୍ନ ସାଙ୍ଗେ ଭାଇଚାରାର୍ ଭାବ୍
Nuapada (ନୂଆପଡ଼ା)ବିଶେଷ ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧିSeptember 15, 2026350 views

*ସିଂଘା ତିହାର୍ ନୁଆଁଖାଇ: ପଶ୍ଚିମ ଓଡ଼ିଶାର୍ ଗଣପର୍ବ, ସଂସ୍କୃତିର୍ ପରିଚୟ ଆର୍ ଭାଇଚାରାର୍ ମହାମିଳନ୍*
*ବିଶେଷ ରିପୋର୍ଟ*
ପଶ୍ଚିମ ଓଡ଼ିଶାର୍ ମାଏଟ୍, ପେନ୍, ପବନ୍ ଆର୍ ମଣିଷର୍ ଜୀବନ୍ଧାରା ସାଙ୍ଗେ ଯେନ୍ତା ପରବ୍ଟା ଗଭୀର୍ ଭାବେ ଜୁଡ଼ି ହେଇଛେ, ସେ ପରବ୍ ହେଉଛେ ନୁଆଁଖାଇ । ଇଟା ଖାଲି ଗୁଟେ ପରବ୍ ନୁହେଁସେ; ଇଟା ଚାଷୀର୍ ଝାଳ୍, ମାଟିର୍ ମମତା, ଅନ୍ନର୍ ମହତ୍ତ୍ୱ, ଇଷ୍ଟଦେବୀଙ୍କର୍ ଆଶୀର୍ବାଦ୍, ପରିବାରର୍ ଏକତା ଆର୍ ସମାଜର୍ ଭାଇଚାରାକେ ଗୁଟେ ସୂତାନେ ବାନ୍ଧି ଦେଉଥିବା ମହାପରବ୍ ।
ସେଥିର୍ ଲାଗି ନୁଆଁଖାଇକେ ପଶ୍ଚିମ୍ ଓଡ଼ିଶାର୍ ‘ଗଣପରବ୍’ ବଲି କୁହାଯାଏସି । ନୁଆଁଖାଇ ସମ୍ବଲପୁରର୍ ସବୁଠାନୁ ବଡ଼୍ ସାମାଜିକ୍ ପରବ୍; ଇଟା ଅଗଷ୍ଟ-ସେପ୍ଟେମ୍ବର୍ ଭିତରେ ପଡ଼ସି ଆର୍ ନୂଆ ଧାନର୍ ପହେଲା ଅନ୍ନକେ ଇଷ୍ଟଦେବୀଙ୍କର୍ ଲାଗି ଅର୍ପଣ୍ କରାଯାଏସି ।
ନୁଆଁଖାଇ କାନା ?
‘ନୁଆଁ’ ମାନେ ନୂଆ ଆର୍ ‘ଖାଇ’ ମାନେ ଖାଇବା । ଅର୍ଥାତ୍ ନୂଆ ଫସଲର୍ ଅନ୍ନକେ ପହେଲା ଦେବୀ-ଦେବତାଙ୍କର୍ ଲାଗି ଅର୍ପଣ୍ କରି, ପଛେ ପରିବାରର୍ ସବୁ ଲୋକ୍ ମିଶିକରି ନୂଆ ଅନ୍ନ ଖାଏବା— ଇଟା ହେଉଛେ ନୁଆଁଖାଇର୍ ମୂଳ୍ ଭାବନା ।
ଇଟା ମାଟି ଆର୍ ଅନ୍ନକେ ଧନ୍ୟବାଦ୍ ଦେବାର୍ ପରବ୍ । ଚାଷୀ ଯେନ୍ତା ବରଷ ବରଷ ମାଟିକେ ଭରସା କରି ଚାଷ୍ କରସି, ସେନ୍ତା ନୂଆ ଧାନ୍ ଘର୍କେ ଆସଲା ପରେ ପହେଲା ଅନ୍ନକେ ନିଜେ ଖାଏବା ଆଗରୁ ଇଷ୍ଟଦେବୀଙ୍କର୍ ଲାଗି ଅର୍ପଣ୍ କରସି ।
ସେଥିର ଲାଗି ନୁଆଁଖାଇର୍ ମୂଳ୍ କଥା ହେଉଛେ—ଆଗେ ଦେବତା, ତାର୍ ପଛେ ମୁନୁଷ; ଆଗେ ଅନ୍ନର୍ ସମ୍ମାନ୍, ତାର୍ ପଛେ ଅନ୍ନର୍ ଭୋଗ୍ ।
ନୁଆଁଖାଇ କେତେବେଲେ ପାଳନ୍ ହେସି ?
ପାରମ୍ପରିକ ଭାବେ ନୁଆଁଖାଇ ଭାଦ୍ରବ ମାସର୍ ଶୁକ୍ଳପକ୍ଷ ପଞ୍ଚମୀ ତିଥିନେ ପାଳନ୍ ହେସି । ସାଧାରଣତଃ ଇଟା ଅଗଷ୍ଟ୍ ନେହେତ ସେପ୍ଟେମ୍ବର୍ ମାସେ ପଡ଼ସି ଆର୍ ଗଣେଶ ଚତୁର୍ଥୀର୍ ପରଦିନ୍ ପଡସି ।
ନୁଆଁଖାଇର୍ ସବୁଠାନୁ ଗୁରୁତ୍ୱପୂର୍ଣ୍ଣ ଅଂଶ୍ ହେଉଛେ ଶୁଭ୍ ଲଗନ୍ । ନିର୍ଦ୍ଦିଷ୍ଟ ସମୟନେ ନୂଆ ଅନ୍ନ ଇଷ୍ଟଦେବୀଙ୍କର୍ ଲାଗି ଅର୍ପଣ୍ କରାଯାଏସି । ଅଞ୍ଚଳ୍ ଅନୁସାନେ ଇଷ୍ଟଦେବୀଙ୍କର୍ ନାଁ ଆର୍ ପରମ୍ପରା ଅଲଗା ହେଇଥିସି । ସମ୍ବଲପୁରନେ ମାଁ ସମଲେଇ, ବଲାଙ୍ଗିର-ପାଟଣାଗଡ଼ ଅଞ୍ଚଳନେ ମାଁ ପାଟଣେଶ୍ୱରୀ, ସୁବର୍ଣ୍ଣପୁରନେ ମାଁ ସୁରେଶ୍ୱରୀ, ଆଦିଙ୍କ ସହିତ ନୁଆଁଖାଇ ପରମ୍ପରା ଜୁଡ଼ିଥିସି ।
କାଏଁଜେ ପାଳନ୍ ହେସି ନୁଆଁଖାଇ ?
ନୁଆଁଖାଇର୍ ମୂଳ୍ ଉଦ୍ଦେଶ୍ୟ ହେଉଛେ ନୂଆ ଫସଲର୍ ଲାଗି ଭଗବାନ୍, ମାଟି ଆର୍ ପ୍ରକୃତିକେ ଧଏନବାଡ଼ ଜନାବାର ।
ଚାଷୀ ଲାଗି ଧାନ୍ ଖାଲି ଗୁଟେ ଫସଲ୍ ନୁହେଁସେ । ଧାନ୍ ହେଉଛେ ଜୀବନ୍ । ଧାନ୍ ହେଉଛେ ଘରର୍ ଚୁଲି ଜଲାଏବାର୍ ଆଶା । ଧାନ୍ ହେଉଛେ ପିଲାଛୁଆଙ୍କର୍ ପେଟ୍ ଭରାଏବାର୍ ଭରସା । ଧାନ୍ ହେଉଛେ ଚାଷୀର୍ ଘାମ୍ ଆର୍ ପରିବାରର୍ ଭବିଷ୍ୟତ୍ ।
ସେଥିର ଲାଗି ନୁଆଁଖାଇ ଦିନ୍ ନୂଆ ଧାନ୍କେ ପହେଲା ଇଷ୍ଟଦେବୀଙ୍କର୍ ଲାଗି ଦେଇ ଚାଷୀ ନିଜର୍ ଶ୍ରମ୍କେ ସାର୍ଥକ୍ ବଲି ମାନସନ ।
ନୁଆଁଖାଇର୍ ମହତ୍ତ୍ୱ କାନା ?
ନୁଆଁଖାଇର୍ ମହତ୍ତ୍ୱ ଖାଲି ଧାର୍ମିକ୍ ନୁହେସେ । ଇଟାର୍ ସାମାଜିକ୍, ଆର୍ଥିକ୍, କୃଷିଭିତ୍ତିକ୍ ଆର୍ ସାଂସ୍କୃତିକ୍ ମହତ୍ତ୍ୱ ବି ରହିଛେ ।
ପହେଲା—ଅନ୍ନର୍ ସମ୍ମାନ୍ ।
ନୁଆଁଖାଇ ଆମ୍କେ ଶିଖାଏସି ଯେ ଅନ୍ନକେ କେବେ ବି ଅପଚୟ୍ କର ନାଇଁ ।
ଦୁଇ—ଚାଷୀର୍ ସମ୍ମାନ୍ ।
ଯେ ଚାଷୀ ମାଟିନେ ଘାମ୍ ଝରାଏସି, ତାହାର୍ ଶ୍ରମ୍କେ ସମାଜ୍ ସମ୍ମାନ୍ ଦେଉଛେ ।
ତିନି—ପରିବାରର୍ ଏକତା ।
ନୁଆଁଖାଇ ଦିନ ଯେତେ ଦୂରେ ରହୁଥିବା ଲୋକ୍ ବି ଘର୍କେ ଫିରିଆଏସନ । ସବୁ ଲୋକ୍ ସାଙ୍ଗେ ମିଶିକରି ନୂଆ ଅନ୍ନ ଖାଇସନ ।
ଚାରି—ସମାଜର୍ ଭାଇଚାରା ।
ନୁଆଁଖାଇ ପଛେ ହେସି ନୁଆଁଖାଇ ଜୁହାର୍ । ବଡ଼ମାନଙ୍କୁ ଜୁହାର୍ କରି ଆଶୀର୍ବାଦ୍ ନିଆଯାଏସି, ସାନମାନଙ୍କୁ ସ୍ନେହ୍ ଦିଆଯାଏସି ।
ନୁଆଁଖାଇ ଜୁହାର୍—ଗୁଟେ ଶବ୍ଦ୍ ନୁହେଁ, ଗୁଟେ ସମ୍ପର୍କ୍ ଆଏ
‘ନୁଆଁଖାଇ ଜୁହାର୍’ ପଶ୍ଚିମ ଓଡ଼ିଶାର୍ ସାମାଜିକ୍ ଜୀବନ୍ର ଗୁଟେ ଅଲଗା ପରିଚୟ ଆଏ ।
ଇଠାନେ ଜୁହାର୍ ମାନେ ଖାଲି ନମସ୍କାର୍ ନୁହେଁସେ । ଜୁହାର୍ ଭିତରେ ରହିଛେ ସମ୍ମାନ୍, ସ୍ନେହ୍, ଆଶୀର୍ବାଦ୍, ଆତ୍ମୀୟତା ଆର୍ ସମ୍ପର୍କ୍ର ଉଷ୍ମତା ।
ନୁଆଁଖାଇ ଦିନ୍ ଛୁଆମାନେ ବଡ଼ମାନଙ୍କର୍ ପାଖେ ଜୁହାର୍ କରସନ । ବଡ଼ମାନେ ମୁଡ଼େ ହାତ୍ ଦେଇ ଆଶୀର୍ବାଦ୍ ଦେଶନ । ଏନ୍ତା କରି ଗୁଟେ ପିଢ଼ିରୁ ଆର୍ ଗୁଟେ ପିଢ଼ିକେ ସଂସ୍କାର୍ ଚାଲି ଆସିଚେ ।
ନୁଆଁଖାଇର୍ ଇତିହାସ୍—କେବେନୁ ଆରମ୍ଭ୍ ହେଇଥିଲା ?
ନୁଆଁଖାଇ କେବେଠାରୁ ପାଳନ୍ ହେଉଛେ, ତାର୍ ନିଶ୍ଚିତ୍ ତାରିଖ୍ କିମ୍ବା ବର୍ଷର୍ ପ୍ରମାଣ୍ ନାଇନ, ଇଟା ବହୁତ ଆଗରୁ ପିଢ଼ି ପଛେ ପିଢ଼ି ଚାଲି ଅସୁଛେ l
ହେଲେ ନୁଆଁଖାଇର୍ ମୂଳ୍ ଭାବନା—ନୂଆ ଫସଲ୍ ପାଇଲେ ପ୍ରଥମେ ଦେବତାଙ୍କର୍ ଲାଗି ଅର୍ପଣ୍ କରିବା—କୃଷି ସମାଜର୍ ବହୁତ୍ ପୂର୍ଣା ପରମ୍ପରା ସାଙ୍ଗେ ଜୁଡ଼ିଥିବାର କଥା ଗବେଷନା ନେ ଆସିଛେ ।
ଏକ ପାରମ୍ପରିକ୍ ମତାନୁସାନେ , ପଶ୍ଚିମ ଓଡ଼ିଶାର୍ ଚୌହାନ୍ ରାଜା ରାମାଇ ଦେବଙ୍କର୍ ସମୟନେ —ପ୍ରାୟ ୧୪ଶ ଶତାବ୍ଦୀରେ—ନୁଆଁଖାଇକେ ରାଜ୍ୟସ୍ତରୀୟ ପରବ୍ ଭାବେ ଗୁରୁତ୍ୱ ମିଳିଥିବାର କୁହାଯାଏସି । କିନ୍ତୁ ଇ ଦାବିକେ ନୁଆଁଖାଇର୍ ସଂପୂର୍ଣ୍ଣ ଆରମ୍ଭ୍ ବୋଲି ନିଶ୍ଚିତ୍ ଐତିହାସିକ୍ ପ୍ରମାଣ୍ ଭାବେ ଧରାଯାଇ ନାଇଁ ପାରେ ।
ଅର୍ଥାତ୍, ନୁଆଁଖାଇର୍ ମୂଳ୍ ପରମ୍ପରା ବହୁତ୍ ପୁରୁଣା ଆଏ , ହେଲେ ଇଟା କେବେ ଠିକ୍ ପହେଲା ଆରମ୍ଭ୍ ହେଲା, ସେ ବିଷୟନେ ନିଶ୍ଚିତ୍ ଐତିହାସିକ୍ ତାରିଖ୍ ନାଇଁନ ।
ରାଜା ରାମାଇ ଦେବ୍ ଆର୍ କୃଷି ସଂସ୍କୃତି
ପଶ୍ଚିମ ଓଡ଼ିଶାର୍ ରାଜ୍ୟ ଗଠନ୍ ଆର୍ କୃଷି ଆଧାରିତ୍ ସମାଜ୍ ବିକାଶ୍ର ସନ୍ଦର୍ଭନେ ନୁଆଁଖାଇର୍ ଗୁରୁତ୍ୱ୍ ନେଇ ଗବେଷଣା ହେଇଛେ ।
ପୁରନା ସମୟ୍ନେ ଇନର ଅର୍ଥନୀତି ଶିକାର୍, ଜଙ୍ଗଲ୍ ଆର୍ ସଂଗ୍ରହ୍ ଉପରେ ବେଶି ନିର୍ଭର୍ କରୁଥିଲା । ପରେ ଚାଷ୍ ଆର୍ ସ୍ଥାୟୀ କୃଷି ସମାଜ୍ ବଢ଼ଲା । ଇ ପରିବର୍ତ୍ତନ୍ନେ ନୂଆ ଧାନ୍ ଆର୍ ଅନ୍ନର୍ ଗୁରୁତ୍ୱ୍ ଅଧିକ୍ ହେଲା ।
ନୁଆଁଖାଇ ଆର୍ ପଶ୍ଚିମ ଓଡ଼ିଶାର୍ ସଂସ୍କୃତି
ନୁଆଁଖାଇ ଆସଲେ ପଶ୍ଚିମ ଓଡ଼ିଶାର୍ ଗାଁଠୁ ସହର୍ ତକ୍ ପରିବେଶ୍ ବଦଳିଯାଏସି ।
ଘର୍ ଲିପାପୋଛା ହେସି । ନୂଆ ଲୁଗା ନୁଆଁ ଲୁଗାପଟା କିଣାଯାଏସି । ଘରର୍ ରନ୍ଧନଶାଳାନେ ନୂଆ ଅନ୍ନର୍ ପ୍ରସ୍ତୁତି ହେସି । ଘରର୍ ବୁଢ଼ା-ବୁଢ଼ୀଙ୍କର୍ ଆଶୀର୍ବାଦ୍ ନିଆଯାଏସି । ଦୂରେ ରହୁଥିବା ପୋ-ଝି, ଭାଏ-ବୁହେନ ଘର୍କେ ଫିରି ଆଏସନ ।
ଆର୍ ନୁଆଁଖାଇ ପରେ ଆରମ୍ଭ୍ ହେସି ନୁଆଁଖାଇ ଭେଟ୍ଘାଟ୍ ।
ସମ୍ବଲପୁରୀ ଗୀତ୍, ଢୋଲ୍, ନିଶାନ୍, ମାଦଲ୍, ଧାମ୍ସା, ନାଚ୍ ଆର୍ ଲୋକ୍ଗୀତ୍ରେ ଗାଁ-ସହର୍ ମୁଖରିତ୍ ହେସି ।
ନୁଆଁଖାଇ—ଯାଏତ୍, ଧରମ୍ ଆର୍ ବର୍ଗ୍ର ସୀମା ପାର୍ ହେଇଥିବାର ପରବ୍
ନୁଆଁଖାଇର୍ ଆରୁ ଗୁଟେ ବଡ଼ ବିଶେଷତା ହେଉଛେ, ଇଟା ସମାଜ୍କେ ଜୁଡ଼ି କରି ରଖସି ।
ଚାଷୀ, ଶ୍ରମିକ୍, ବ୍ୟବସାୟୀ, କର୍ମଚାରୀ, ଛାତ୍ର, ପ୍ରବାସୀ—ସବୁ ଲୋକ୍ ନିଜର୍ ନିଜର୍ ଭାବେ ନୁଆଁଖାଇ ପାଳନ୍ କରସନ୍ । ପଶ୍ଚିମ ଓଡ଼ିଶାର୍ ଆଦିବାସୀ ଆର୍ ଅଲଗା ସମୁଦାୟମାନଙ୍କର୍ କୃଷି ଜୀବନ୍ନେ ଇ ପରବ୍ର ଗଭୀର୍ ପ୍ରଭାବ୍ ରହିଛେ l
ନୁଆଁଖାଇ ଖାଲି ଧାର୍ମିକ୍ ପରବ୍ ନୁହେଁସେ —ଇଟା ଗୁଟେ ସାମାଜିକ୍ ମିଳନ୍ ଆର୍ ସାଂସ୍କୃତିକ୍ ପରିଚୟର୍ ପରବ୍ ଆଏ ।
ନୁଆଁଖାଇ ଆର୍ ସମ୍ବଲପୁରୀ ର ପରିଚୟ୍
ନୁଆଁଖାଇ ଆର୍ ସମ୍ବଲପୁରୀ ଭାଷା-ସଂସ୍କୃତିର୍ ସମ୍ପର୍କ୍ ବହୁତ୍ ଗଭୀର୍ ଆଏ ।
ସମ୍ବଲପୁରୀ ଗୀତ୍, ଲୋକ୍ ନାଚ୍, ଢୋଲ୍-ନିଶାନ୍, ମାଦଲ୍, ହସ୍ତତନ୍ତ୍ର ବସ୍ତ୍ର, ସ୍ଥାନୀୟ୍ ଖାଦ୍ୟପାନୀୟ୍ ଆର୍ ଗାଁର୍ ସରଳ୍ ଜୀବନ୍—ସବୁକେ ନୁଆଁଖାଇ ଗୁଟେ ମଞ୍ଚ୍ ଦେଉଛେ ।
ଇ ପରବ୍ ଆମ୍କେ ମନେ ପକାସି ଯେ ସଂସ୍କୃତି ଖାଲି ବହିନେ ନାଇଁସେ, ମଣିଷର୍ ଜୀବନ୍ନେ ବି ବଞ୍ଚିଥିସି।
ଆଜିର୍ ନୁଆଁଖାଇ—ଗାଁଠୁ ବିଶ୍ୱ ତକ୍
ଆଜି ନୁଆଁଖାଇ ଖାଲି ପଶ୍ଚିମ ଓଡ଼ିଶାର୍ ଗାଁମାନକେ ସୀମିତ୍ ନାଇଁନ ।
ସାମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଭଳି ଅଞ୍ଚଳ୍ରୁ ବାହାରେ ଦେଶର୍ ବଡ଼ ସହର୍ମାନକେ ରହୁଥିବା ପଶ୍ଚିମ ଓଡ଼ିଶାର୍ ଲୋକ୍ ମଧ୍ୟ ନୁଆଁଖାଇ ପାଳନ୍ କରୁଛନ୍ । ବିଦେଶ୍ନେ ରହୁଥିବାର ପଶ୍ଚିମ ଓଡ଼ିଶାର୍ ଲୋକମାନେ ବି ନିଜର୍ ମାଟିର୍ ପରବ୍କେ ମନେ ପକାଇ କରି ନୁଆଁଖାଇ ଭେଟ୍ଘାଟ୍ କରୁଛନ୍ ।
ଏନ୍ତା ଭାବେ ଗାଁର୍ ଗୁଟେ ପରମ୍ପରା ଧୀରେ ଧୀରେ ବିଶ୍ୱର୍ ବିଭିନ୍ନ୍ ସ୍ଥାନ୍ନେ ପହଞ୍ଚିଯାଉଛେ ।
ନୁଆଁଖାଇର୍ ବର୍ତ୍ତମାନ୍ ଚ୍ୟାଲେଞ୍ଜ୍
ସମୟ୍ ବଦଳୁଛେ । ଜୀବନ୍ଶୈଳୀ ବଦଳୁଛେ । ଗାଁନୁ ସହର୍କେ ଲୋକ୍ମାନେ ଯାଉଛନ୍ । ଯୁବପିଢ଼ି ପାଠ୍ ପଢ଼ବା, ଚାକିରି ଆର୍ ବ୍ୟବସାୟ୍ ଲାଗି ଦୂରେ ରହୁଛନ୍ ।
ଏନ୍ତା ପରିସ୍ଥିତିନେ ନୁଆଁଖାଇର୍ ପୁରୁଣା ପରମ୍ପରାକେ ବଂଚେଇ ରଖ୍ବାର ଗୁଟେ ବଡ଼ ଦାୟିତ୍ୱ୍ ଆଏ ।
ଆଜି ଅନେକ୍ ଜାଗାନେ ପରବ୍ଟା ଅଧିକ୍ ଆୟୋଜନ୍, ଡିଜେ, ଆଲୋକ୍, ସୋସିଆଲ୍ ମିଡିଆ ଆର୍ ପ୍ରଦର୍ଶନ୍ରେ ସୀମିତ୍ ହେଇଯିବାର୍ ଆଶଙ୍କା ରହିଛେ । ହେଲେ ନୁଆଁଖାଇର୍ ମୂଳ୍ ଆତ୍ମା—ଅନ୍ନର୍ ସମ୍ମାନ୍, ଚାଷୀର୍ ସମ୍ମାନ୍, ପରିବାରର୍ ଏକତା ଆର୍ ସମାଜର୍ ଭାଇଚାରା—କେବେ ବି ହଜି ନାଇଁ ଯାଏ ।
ଭବିଷ୍ୟତ୍ର ନୁଆଁଖାଇ—ପରମ୍ପରା ସାଙ୍ଗେ ଆଧୁନିକତା
ଆଗାମୀ ପିଢ଼ି ଲାଗି ନୁଆଁଖାଇକେ ବଞ୍ଚାଇ ରଖ୍ବାର୍ ଲାଗି ଆମ୍କେ ପରମ୍ପରାକେ ଧରି ରଖି ଆଧୁନିକ୍ ମାଧ୍ୟମ୍କେ ବି ଠିକ୍ ଭାବେ ବ୍ୟବହାର୍ କରବାକେ ପଡ଼ବା ।
ସ୍କୁଲ୍-କଲେଜ୍ନେ ନୁଆଁଖାଇର୍ ଇତିହାସ୍ ଉପରେ ଆଲୋଚନା, ସାମ୍ବଲପୁରୀ ଭାଷାର୍ ସାହିତ୍ୟିକ୍ କାର୍ଯ୍ୟକ୍ରମ୍, ଲୋକ୍ନାଚ୍-ଗୀତ୍ର ସୁରକ୍ଷା, ପୁରୁଣା ଲୋକ୍ପରମ୍ପରାର୍ ଡକ୍ୟୁମେଣ୍ଟେସନ୍, ଚାଷୀଙ୍କର୍ ସମ୍ମାନ୍ ଆର୍ ଯୁବପିଢ଼ିକେ ଏଥିରେ ସାମିଲ୍ କରବା—ଇ ସବୁ ଉପରେ ଗୁରୁତ୍ୱ୍ ଦେବାର୍ ଆବଶ୍ୟକତା ରହିଛେ ।
ସୋସିଆଲ୍ ମିଡିଆ ଆର୍ ଡିଜିଟାଲ୍ ମିଡିଆକେ ମଧ୍ୟ ନୁଆଁଖାଇର୍ ମୂଳ୍ ଇତିହାସ୍, ଲୋକ କଥା , ଗୀତ୍, ନାଚ୍ ଆର୍ ପରମ୍ପରାକେ ଆଗାମୀ ପିଢ଼ି ତକ୍ ପହଞ୍ଚାଏବାର୍ ମାଧ୍ୟମ୍ କରାଯାଇପାରେ ।
ନୁଆଁଖାଇ—ମାଟିକେ ଭୁଲି ନାଇଁ ଆଗ୍କେ ବଢ଼ବାର୍ ଶିକ୍ଷା
ନୁଆଁଖାଇ ଆମ୍କେ ଗୁଟେ ବଡ଼ କଥା ଶିଖାସି —ଆମେ ଯେତେ ଆଧୁନିକ୍ ହେଲେ ବି, ନିଜର୍ ମାଟିକେ ଭୁଲି ନାଇଁ ଯିବାର୍ ।
ଆଜି ମଣିଷ ଚନ୍ଦ୍ର୍କେ ପହଞ୍ଚିଗଲା, ଦୁନିଆ ଡିଜିଟାଲ୍ ହେଇଗଲା, ଗାଁର୍ ଖବର୍ କେତେ ସେକେଣ୍ଡ୍ନେ ବିଶ୍ୱର୍ ଅନ୍ୟ ପାଖ୍କେ ପହଞ୍ଚିଯାଉଛେ । ହେଲେ ମଣିଷର୍ ଜୀବନ୍ ଆଜି ବି ଅନ୍ନ ଉପରେ ନିର୍ଭର୍ କରୁଛେ ।
ସେଥିର ଲାଗି ନୁଆଁଖାଇ ଖାଲି ପୁରୁଣା ପରମ୍ପରା ନୁହେଁସେ । ଇଟା ଆଜିର୍ ସମାଜ୍ ଲାଗି ବି ସମାନ୍ ଭାବେ ପ୍ରାସଙ୍ଗିକ୍ ଆଏ ।
ନୁଆଁଖାଇର୍ ସବୁଠାରୁ ବଡ଼ ସନ୍ଦେଶ୍
ନୁଆଁଖାଇ କହେସି —
ମାଟିକେ ସମ୍ମାନ୍ କର,
ଚାଷୀକେ ସମ୍ମାନ୍ କର,
ଅନ୍ନକେ ସମ୍ମାନ୍ କର,
ବଡ଼ମାନଙ୍କର୍ ଆଶୀର୍ବାଦ୍ ନେ,
ସାନମାନଙ୍କର୍ ମୁଡ଼େ ହାତ୍ ଦେ,
ଭାଇଚାରାକେ ମଜବୁତ୍ କର୍
ଆର୍ ନିଜର୍ ମାଟି-ସଂସ୍କୃତିକେ ଆଗାମୀ ପିଢ଼ି ତକ୍ ପହଚା ।
ନୁଆଁଖାଇ ମାନେ ନୂଆ ଅନ୍ନ
ନୁଆଁଖାଇ ମାନେ ନୂଆ ଆଶା
ନୁଆଁଖାଇ ମାନେ ନୂଆ ସମ୍ପର୍କ୍
ନୁଆଁଖାଇ ମାନେ ପୁର୍ନା ମୂଲ୍ୟବୋଧ୍କେ ନୂଆ ପିଢ଼ି ତକ୍ ନେଇଯିବାର୍ ସଂକଳ୍ପ୍ ।
ଆର୍ ସେଥିର ଲାଗି ପଶ୍ଚିମ ଓଡ଼ିଶାର୍ ମଣିଷର୍ ମୁହଁନୁ ଆଜି ବାହାରୁଛେ ଗୁଟେ ହିଁ ସ୍ୱର୍ —
“ନୁଆଁଖାଇ ଜୁହାର୍!”
ମାଟିକେ ଜୁହାର୍,
ଚାଷୀକେ ଜୁହାର୍,
ଅନ୍ନକେ ଜୁହାର୍,
ଆର୍ ପଶ୍ଚିମ ଓଡ଼ିଶାର୍ ମହାନ୍ ସଂସ୍କୃତିକେ ଜୁହାର୍ ।
