ନୂଆଁଖାଇରେ ଜମିବ ତମିଆଁ ମିନି ଷ୍ଟାଡିୟମ: ଭେଟଘାଟ ସାଙ୍ଗକୁ ଫୁଟବଲ୍ ମ୍ୟାଚ୍ରେ ମୁହାଁମୁହିଁ ବିହାରୀ ଓ ଅବିହାରୀ
Balangir (ବଲାଙ୍ଗୀର)ବ୍ୟୁରୋ ରିପୋର୍ଟ: ମଳୟ ମେହେରSeptember 13, 202638 views

ତମିଆଁ, ୧୩/୦୯: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ତମିଆଁ ଅଞ୍ଚଳରେ ଆୟୋଜିତ ହେବାକୁ ଯାଉଛି ନୂଆଁଖାଇ ଭେଟଘାଟ-୨୦୨୬। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ, ମଙ୍ଗଳବାର ଦିନ ତମିଆଁ ମିନି ଷ୍ଟାଡିୟମରେ ଏହି ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ଅନନ୍ୟ ଅବସର। ଏହି ଭାବନାକୁ ନେଇ ତମିଆଁରେ ଆୟୋଜିତ ହେଉଥିବା ଭେଟଘାଟରେ ଅଞ୍ଚଳବାସୀ, କୁଟୁମ୍ବ ଓ ବନ୍ଧୁବାନ୍ଧବଙ୍କ ସମାଗମ ହେବାକୁ ଥିବାରୁ ପରିବେଶ ଉତ୍ସବମୁଖର ହେବ ବୋଲି ଆଶା କରାଯାଉଛି।
ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ରୋମାଞ୍ଚକର ଫୁଟବଲ୍ ମ୍ୟାଚ୍। ଏଥିରେ ‘ବିହାରୀ (ବିବାହିତ)’ ବନାମ ‘ଅବିହାରୀ (ଅବିବାହିତ)’ ଦଳ ମଧ୍ୟରେ ହେବ ମଜାଦାର ମୁକାବିଲା। ମଇଦାନରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ସହ ଦର୍ଶକଙ୍କ ପାଇଁ ହସ, ମଜା ଓ ଉତ୍ସାହର ଭରପୂର ଖୋରାକ ମିଳିବ।
ଆୟୋଜକଙ୍କ ପକ୍ଷରୁ ଅଞ୍ଚଳବାସୀଙ୍କୁ ନୁଆଁଖାଇ ଜୁହାର ଜଣାଇ ସମସ୍ତଙ୍କୁ ନିଜ ନିଜ କୁଟୁମ୍ବ ଓ ପରିବାର ସହ ଏହି ନୂଆଁଖାଇ ଭେଟଘାଟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।
ସମୟ: ଅପରାହ୍ନ ୩ଟା
ସ୍ଥାନ: ତମିଆଁ ମିନି ଷ୍ଟାଡିୟମ
ତାରିଖ: ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର
