ଗଣେଶ ପୂଜାକୁ ନେଇ ଖଲ୍ଲିକୋଟ ଥାନାରେ ଜନସାଧାରଣଙ୍କ ସହ ଆଲୋଚନା ଶାନ୍ତି ଓ ଶୃଙ୍ଖଳାରେ ପୂଜା ପାଳନ ପାଇଁ ପୁଲିସର ପରାମର୍ଶ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିSeptember 11, 202688 views

ଖଲ୍ଲିକୋଟ, ୧୧/୦୯: ଆଗାମୀ ଗଣେଶ ଚତୁର୍ଥୀ ପୂଜା ଓ ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନେଇ ଖଲ୍ଲିକୋଟ ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଥାନାର ବିଭିନ୍ନ ପଦବୀର ଅଧିକାରୀଙ୍କ ସମେତ ଖଲ୍ଲିକୋଟ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଓ ପୂଜା କମିଟି ସହ ସଂପୃକ୍ତ ବ୍ୟକ୍ତିମାନେ ଯୋଗଦେଇଥିବା ଜଣାପଡ଼ିଛି।
ବୈଠକରେ ଆଗାମୀ ଗଣେଶ ପୂଜା ଓ ପାର୍ବଣ ଉତ୍ସବ ସମୟରେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଆଇନଶୃଙ୍ଖଳା ପରିସ୍ଥିତି ଅକ୍ଷୁଣ୍ଣ ରଖିବା ଏବଂ ସୁରକ୍ଷିତ ଭାବେ ପୂଜା ଆୟୋଜନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।
ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ସମ୍ପର୍କରେ ଥାନା ଅଧିକାରୀ ରମେଶ ପ୍ରଧାନ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ପୂଜା ସମୟରେ ସମସ୍ତେ ପୁଲିସ ପ୍ରଶାସନକୁ ସହଯୋଗ କରିବା ସହ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ମତାମତ ଓ ପରାମର୍ଶ ରଖାଯାଇଥିଲା। ଥାନା ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ଖଲ୍ଲିକୋଟବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ସାଧୁବାଦ ଜଣାଯାଇଥିଲା।
